ଭତ୍ତା ପ୍ରଦାନରେ ଅନିୟମିତତା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା କରାଯାଉଥିବାର ଅଭିଯୋଗ ହୋଇଛି । ଫଳରେ ବହୁ ଅସହାୟ ଗରିବ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ବ୍ୟକ୍ତି ଠିକ୍‌ ସମୟରେ ଭତ୍ତା ନ ପାଇ ଚରମ ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ୍‌ ପ୍ରଶାସନ ତରଫରୁ ପ୍ରତିମାସରେ କେଣ୍ଟାଳୋ
ଗ୍ରାମପଞ୍ଚାୟତକୁ ଭତ୍ତା ଅର୍ଥ ଯୋଗାଇ ଦିଆଯାଉଛି । ଏହି ପଞ୍ଚାୟତରେ ପ୍ରତି ମାସରେ ଠିକ୍‌ ଭାବେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉନଥିବାର ଅଭିଯୋଗ ହୋଇଛି । ଏପରିକି ଭତ୍ତା ପ୍ରଦାନରେ ରାଜନୈତିକ ବାଛ ବିଚାର ଓ ଚଞ୍ଚକତା କରାଯାଉଥିବାର ଅଭିଯୋଗ ହୋଇଛି । ହୀନ ରାଜନୈତିକ ଅଭିସନ୍ଧି ରଖି ଅସହାୟ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ଠିକ୍‌ ଭାବେ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉନଥିବାର ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ କେତେକ ଥିଲା ବାଲାଙ୍କୁ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ଭତ୍ତା ପ୍ରଦାନ କରାଯାଉଥିଲା ବେଳେ ବହୁ ଗରିବ ଅସହାୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି । ଏପରିକି କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ପ୍ରଶାସନ ତରଫରୁ ଭତ୍ତା ଦିଆଯାଉଥିଲା ବେଳେ ବହୁ ଅସହାୟ ଲୋକଙ୍କୁ ପ୍ରଚଣ୍ଡ
ଖରାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଡାକାଯାଇ ହଇରାଣ ହରକତ କରାଯାଉଥିବାର ଅଭିଯୋଗ ହୋଇଛି । ଏହି ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଗୋପାଳ ନାୟକଙ୍କ ପତ୍ନୀ ପଦ୍ମାଳୟା ନାୟକ ଜଣେ ଦିବ୍ୟାଙ୍ଗ ଅଟନ୍ତି । କଟକ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ତାଙ୍କୁ ୧୦୦ ଶତକଡା ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ହେଲା ପଦ୍ମାଳୟା ୭ଶହ ଟଙ୍କା ଲେଖାଏଁ ଭତ୍ତା ପାଇଆସୁଥିଲା ବେଳେ ଗତ ୨ ମାସ ହେଲା ତାଙ୍କୁ ରହସ୍ୟଜନକ ଭାବେ ମାସିକ ୫ଶହ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ପଦ୍ମାଳୟା ବାରମ୍ବାର କାରଣ ଜାଣିବା ନିମନ୍ତେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଥିଲେ ମଧ୍ୟ ତାଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦିଆଯାଉନଥିବାର ଅଭିଯୋଗ ହୋଇଛି । ସେହିପରି ଭାବେ ଏହି ପଞ୍ଚାୟତରେ ବହୁ ହିତାଧିକାରୀଙ୍କୁ ବାରମ୍ବାର ଭତା ପ୍ରଦାନରେ ହଇରାଣ ହରକତ କରାଯାଇ ମାନସିକ ସ୍ତରରେ ନିର୍ଯ୍ୟାତନା ଦିଆଯିବା ସହ ଆର୍ଥୀକ ଖର୍ଚ୍ଚାନ୍ତ କରାଯାଉଥିବାର ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ନିକଟରେ ଏହି ପଞ୍ଚାୟତର ମଲ୍ଲିପୁର ଗ୍ରାମର ଜଣେ ବୃଦ୍ଧା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବାକୁ ଆସି ବାଟରେ ପଡି ମୃତ୍ୟୁ ବରଣ କରିବା ଘଟଣାଟି ରାଜ୍ୟର ପ୍ରମୁଖ ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ
କରିଥିବା ଘଟଣାଟି କାହାରିକୁ ଅଛପା ନାହିଁ । ଏସମ୍ପର୍କରେ ଆମ ପ୍ରତିନିଧି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ସ୍ୱୀକାର କରିବା ସହ ପ୍ରଶାସନିକ ତୃଟି ଯୋଗୁ କେତେକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇ ନ ଥିବାର ମତ ପ୍ରକାଶ ପରିଥିଲେ ।

#Irregularity #allowances #odishanews
Comments (0)
Add Comment