ଝାରସୁଗୁଡ଼ା ଯୁଦ୍ଧ ପାଇଁ ସମରସଜ୍ଜା, ଦିପାଳୀଙ୍କୁ ଟକ୍କର ଦେବେ କିଏ ?

ଭୁବନେଶ୍ୱର : ଝାରସୁଗୁଡ଼ା ଲଢେ଼ଇ ପାଇଁ ସମରସଜ୍ଜା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଏକମାତ୍ର ପ୍ରାର୍ଥୀ ଭାବେ ଆଗକୁ ଆସିଛନ୍ତି ବିଜେଡ଼ିର ଦିପାଳୀ ଦାସ । ରାଜନୀତିରେ ନୂଆ ଇଂନିସରେ ପାଦ ଥାପିବାକୁ ସେ ତୟାର ହୋଇସାରିଛନ୍ତି । ବାପା ନବ ଦାସଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ଆଗଭର ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଗତକାଲି ମା’ ଓ ଭାଇଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିପାଳୀ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶିର୍ବାଦ ନେବା ସହ ଝାରସୁଗୁଡ଼ାଙ୍କ ସେବା
କରିବେ ବୋଲି ସଂକଳ୍ପ ନେଇଛନ୍ତି ।

ସେହିପରି ବିଜେପି ଏବଂ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ପାଇଁ ଜୋରଦାର ଲାଗିପଡ଼ିଛନ୍ତି । ବିଜେପିର ବରିଷ୍ଠ ନେତା ଝାରସୁଗୁଡ଼ା ଯାଇ ସର୍ଭେ କରିଛନ୍ତି । କିଏ ପ୍ରାର୍ଥୀ ହେବେ ଦୁଇ-ତିନି ଦିନ ମଧ୍ୟରେ ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ରେସ୍‌ରେ ଆଗରେ ଅଛନ୍ତି ଟଙ୍କଧର ତ୍ରିପାଠୀ । କେବଳ ଟଙ୍କଧର ନୁହଁନ୍ତି ୨୦୧୯ରେ ପ୍ରାର୍ଥୀ ଥିବା ଦୀନେଶ ଜୈନ ମଧ୍ୟ ଗାଁ’ ଗାଁ’ ବୁଲୁଛନ୍ତି । କିଏ ପ୍ରାର୍ଥୀ ହେବେ ତାହା ଦୁଇତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ କରିଛି । ଏହି କମିଟି ଦୁଇ-ତିନି ଦିନ ଭିତରେ ରିପୋର୍ଟ ଦେବ ।

କଂଗ୍ରେସରୁ ସ୍ୱର୍ଗତ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ଜିଲ୍ଲା ସଭାପତି ଅଶୋକ ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କ ନାଁକୁ ନେଇ ଚର୍ଚ୍ଚ ଜୋର ଧରିଛି । ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୩ରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ମେ ୧୦ରେ ଭୋଟିଂ । ଝାରସୁଗୁଡ଼ାରେ ଭୋଟର ସଂଖ୍ୟା ୨ଲକ୍ଷ ୨୧ ହଜାର ୭୩ । ଏଥର ଯୁବ ଭୋଟର ନେବେ ନିର୍ଣ୍ଣାୟକ ଭୂମିକା । ୨୦ରୁ ୨୯ ବର୍ଷ ବୟସ ଭୋଟରଙ୍କ ସଂଖ୍ୟା ୪୫ହଜାର ୬୮୯ ଯାହା ମୋଟର ଭୋଟରଙ୍କ
୨୦.୬୭ ପ୍ରତିଶତ । ସେହିପରି ୩୦ରୁ ୩୯ ବର୍ଷ ବୟସ ବର୍ଗ ଭୋଟରଙ୍କ ସଂଖ୍ୟା ୫୫ହଜାର ୮୦ ଯାହା ମୋଟର ଭୋଟରଙ୍କ ୨୪.୯୧ ପ୍ରତିଶତ ।

ସେହିପରି ୪୦ରୁ ୪୯ ବର୍ଷ ବୟସ ବର୍ଗ ଭୋଟରଙ୍କ ସଂଖ୍ୟା ୪୯ ହଜାର ୧୩୧ । ଏହା ମୋଟ ଭୋଟରଙ୍କ ୨୨.୨୨ ପ୍ରତିଶତ । ଅର୍ଥାତ୍‌ ୨୦ରୁ ୫୦ ବର୍ଷ ମଧ୍ୟରେ ପ୍ରାୟ ୬୮
ପ୍ରତିଶତ ଭୋଟର ଅଛନ୍ତି । ତେଣୁ ଯୁବ ଭୋଟର ଏହି ଉପ ନିର୍ବାଚନରେ ବଡ଼ ଭୂମିକା ନେବାକୁ ଯାଉଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳିରେ ଝରସୁଗୁଡ଼ା ମ୍ୟୁନିସିପାଲଟି ସହ ଝାରସୁଗୁଡ଼ା, କିରିମିରା, କୋଲବିରା ଓ ଲଇକରା ବ୍ଲକ୍‌ ରହିଛି । ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭୋଟରଙ୍କ ସଂଖ୍ୟା ୭୧ ହଜାର ୧୧୩ । ଅର୍ଥାତ୍‌ ସହରାଞ୍ଚଳ ଭୋଟର ହାର ପ୍ରାୟ ୩୨ ପ୍ରତିଶତ ରହିଛି । ଏହାଛଡ଼ା ୧ଲକ୍ଷ ୪୯ ହଜାର ଭୋଟ ଗ୍ରାମାଞ୍ଚଳରେ ରହିଛି ।

#odisha #bjd #Jharsuguda #Dipalidas
Comments (0)
Add Comment