ଅସ୍ତରଙ୍ଗରେ ଆଉ ଦେଖିବାକୁ ମିଳୁନି ଇଲିସି ମାଛ

The fish Elsi is no longer found in the Astaranga.

0 32

ଅସ୍ତରଙ୍ଗ,: ଓଡିଶାର ଭୌଗୋଳିକ ଦୃଷ୍ଟିକୋଣରୁ ପୂର୍ବଭାରତର ଉପକୂଳ ରାଜ୍ୟ ଭାବେ ପରିଚିତ । ଓଡ଼ିଶାର ଦୀର୍ଘ ୪୮୦ କିଲୋମିଟର ଉପକୂଳ ଅଞ୍ଚଳକୁ ବଙ୍ଗୋପସାଗର ଘେରି ରହିଛି । ସେହିଭଳି ଓଡିଶା ମଧ୍ୟରେ ଅନେକ ଛୋଟ ବଡ଼ ନଦୀ ପ୍ରବାହିତ ହେଉଅଛି । ତା ଭିତରୁ ମହାନଦୀ ହେଉଛି ଓଡ଼ିଶାର ସବୁଠାରୁ ବଡ଼ନଦୀ ହୋଇଥିବା ବେଳେ ସେଥିରୁ ଅନେକ ଉପନଦୀ ସୃଷ୍ଟି ହୋଇ ବଙ୍ଗୋପ ସାଗରରେ ମିଶିଛନ୍ତି । ସେଥିମଧ୍ୟରୁ ଦେବିନଦୀ ହେଉଛି ଅନ୍ୟତମ ଦେବିନଦୀ ମହାନଦୀରୁ ବାହାରି କଟକ ଜଗତସିଂହପୁର ଏବଂ ପୁରୀ ଏହି ତିନୋଟି ଜିଲ୍ଲା ଅତିକ୍ରମ କରି ପ୍ରାୟ ୯୦ କିଲୋମିଟର ପ୍ରବାହିତ ହେଲାପରେ ପୁରୀଜିଲ୍ଲାର ଅସ୍ତରଙ୍ଗ ନିକଟ ଦେବିମୁହାଣ ଦେଇ ବଙ୍ଗୋପ ସାଗରରେ ମିଶିଛି । ଏହି ଦେବିନଦୀ ଅବବାହିକାରେ କାହିଁ କେଉଁ ଆବାହନ କାଳରୁ ଅନେକ ଜନବସତି ଗଢି ଉଠିବା ସହିତ ହଜାର ହଜାର ଲୋକମାନେ ଦେବିନଦୀ ଉପରେ ନିର୍ଭର କରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି । କିଛି ଲୋକ ଦେବିନଦୀର ବିସ୍ତିର୍ଣ୍ଣ ପଠାରେ ପରିବା ଚାଷ କରିବା ସହିତ ଦେବିନଦୀରୁ ମାଛ ଧରି ସେମାନଙ୍କ ଗୁଜୁରାଣ ମେଣ୍ଟାଇଥାନ୍ତି । ଦେବିନଦୀର ମୁହାଣ ଠାରୁ ଉପରମୁଣ୍ଡର ଶିଖରଘାଟ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରର ଜୁଆର ଏବଂ ଭଟା ସମୟରେ ଲୁଣାଜଳ ପ୍ରବାହିତ ହୋଇଥାଏ । ଦେବିନଦୀର ଏହି ସବୁଅଞ୍ଚଳରେ ଅନେକ ପ୍ରଜାତିର ବଡ଼ ସାନ ମାଛ
ପ୍ରଚୁର ପରିମାଣରେ ମିଳିଥାନ୍ତି । ବିଶେଷ କରି ନୂଆପାଣି ବର୍ଷା ହୋଇ ନଦୀରେ ଗୋଳିପାଣି ଆସିବା ସମୟରେ ଇଲିସି ମାଛ ପ୍ରଚୁର ପରିମାଣରେ ଦେଖାଦେଇଥାନ୍ତି । ଇଲିଶି ମାଛ ଭଳି ଖଇଙ୍ଗା, ପୋଟେଇ, ଖୁରାଣ୍ଟ, ବେକ୍ଟି, ଚିତଳ ଭଳି ସୁଆଦିଆ ମାଛମାନଙ୍କ ଭଣ୍ଡାର ଭାବେ ଦେବିନଦୀ ବେଶ ଜଣାଶୁଣା, ଦେବିନଦୀରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହିସବୁ ମାଛକୁ ଡ଼ଙ୍ଗା ଜାଲରେ ଧରି ସ୍ଥାନୀୟ ବଜାର ସହିତ ବାହାର ଜିଲ୍ଲାମାନଙ୍କରେ ବିକ୍ରିକରି ବେଶ ଅର୍ଥ ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବିଗତ କିଛିବର୍ଷ ହେବ ଦେବୀ ନଦୀରେ ଇଲିସି ଭଳି ସୁଆଦିଆ ଆଉ ଦାମିକା ମାଛ ସ୍ୱପ୍ନ ହୋଇଯାଇଥିବା ବେଳେ ଖଇଙ୍ଗା, ପୋଟେଇ, ଖୁରାଣ୍ଟ, ବେକ୍ଟି, ସୋରଡ଼ି ଭଳି ମାଛର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଯାହାଫଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜାଲରେ ଆଉ ପୂର୍ବଭଳି ଏ ସବୁ ମାଛ
ସବୁକୁ କମ ସଂଖ୍ୟାରେ ଦେଖିବାକୁ ମିଳୁଛି । ପୂର୍ବରୁ ମତ୍ସ୍ୟଜୀବୀମାନେ ଏହି ନଦୀରୁ ଥରକେ ମୁହାଣକୁ ଯାଇ କୁଇଣ୍ଟାଲ କୁଇଣ୍ଟାଲ ଇଲିଶି, ଖଇଙ୍ଗା, ଜଗର ମାଛ ଧରୁଥିବା ବେଳେ ଏବେ ସମାନ ଭାବରେ ମତ୍ସ୍ୟଜୀବୀମାନେ ନଦୀକୁ ଥରେ ବୁହାଣ କରିବାକୁ ଗଲେ ମାତ୍ର ୨୦ରୁ ୩୦ କିଲୋ ମାଛ ଧରୁଛନ୍ତି ବୋଲି ସହନ ଗ୍ରାମର ବାବୁ ବେହେରା, କୌଶିକ ବେହେରା, ଅଣକଣା ଗ୍ରାମର ସନିଆ ବେହେରା ପାଟଳଦା ଗ୍ରାମର ରବି ବେହେରା କହିଛନ୍ତି । ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡିଛି । ଦେବିନଦୀରେ ମାଛମାନଙ୍କ ସଂଖ୍ୟା କମିବା ଏବଂ ଲୋପ ହେବାର ଅନେକ କାରଣ ଏବେ ସାମ୍ନାକୁ ଆସିଛି । ରାଜ୍ୟପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନର ରାଜ୍ୟସଭାପତି ପ୍ରଶନ କୁମାର ବେହେରା ଦେବିନଦୀରେ ମସ୍ୟସମ୍ପଦ ଲୋପ ହେବାର ଅନେକ କାରଣ ରହିଥିବା ବେଳେ ପରିବେଶ ପ୍ରଦୂଷଣ, ବିଭିନ୍ନ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ସିଧାସଳଖ ନଦୀ ଏବଂ ସମୁଦ୍ରକୁ ଛାଡ଼ିବା ଏବଂ ଦେବିନଦୀର ମୁହାଣ ପୋତି ହୋଇଯିବାକୁ ମୁଖ୍ୟ କାରଣ ଭାବରେ ଦାୟି କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ଏହିସବୁ ଦିଗ ଉପରେ ନଜର ରଖି ଦେବିନଦୀ ମୁହାଣକୁ ଖୋଳିବା, କାରଖାନାର ବର୍ଜ୍ୟବସ୍ତୁକୁ ନଦୀ ସମୁଦ୍ରକୁ ଛାଡ଼ିବା ଉପରେ ରୋକ ଲଗାଇବା, ଏବଂ ବେନିୟମ ଭାବରେ ନଦୀ ସମୁଦ୍ରରୁ ଧରାଯାଉଥିବା ମାଛ ଜାଅଁଳ ଉପରେ କଟକଣା ଲଗାଇବା ସହିତ ଏହିସବୁ କାର୍ଯ୍ୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.