ଆଇସିସି ହଲ୍ ଅଫ୍ ଫେମରେ ମହେନ୍ଦ୍ର ସିଂହ ଧୋନୀ

Mahendra Singh Dhoni inducted into ICC Hall of Fame

0 63

ନୂଆଦିଲ୍ଲୀ, ୧୦ା୬: କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରିଛି । ମହେନ୍ଦ୍ର ସିଂହ ଧୋନୀ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେବାରେ ୧୧ତମ ଭାରତୀୟ କ୍ରିକେଟର । ଧୋନୀଙ୍କ ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର, ଭିନୁ ମଙ୍କଡ, ବୀରେନ୍ଦ୍ର ସେହୱାଗ, ରାହୁଲ ଦ୍ରାବିଡ, ନୀତୁ ଡେଭିଡ୍ ଏବଂ ଡାଏନା ଏଡୁଲଜିଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରାଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ତିନୋଟି ଆଇସିସି ଟ୍ରଫି ଜିତିଥିଲା । ଅଧିନାୟକ ଭାବରେ ଧୋନୀ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ·ମ୍ପିଅନ୍ସ ଟ୍ରଫି ଜିତିଥିଲେ । ସେ ବିଶ୍ୱର ପ୍ରଥମ ଅଧିନାୟକ ଯିଏ ତିନୋଟି ଭିନ୍ନ ଆଇସିସି ଟ୍ରଫି ଜିତିଥିଲେ । ଧୋନୀ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେବା ପରେ, ପୂର୍ବତନ ଭାରତୀୟ ଅଧିନାୟକ ଧୋନୀ କହିଛନ୍ତି ଯେ, ଏହି ସମ୍ମାନ ସର୍ବଦା ତାଙ୍କ ସହିତ ରହିବ । ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେବା ଏକ ସମ୍ମାନର ବିଷୟ, ଯାହା ବିଭିନ୍ନ ପିଢ଼ି ଏବଂ ବିଶ୍ୱର କ୍ରିକେଟରଙ୍କ ଅବଦାନକୁ ସ୍ୱୀକୃତି ଦିଏ । ଧୋନୀ ଭାରତ ପାଇଁ ୩୫୦ଟି ଦିନିକିଆ ଖେଳି ୫୦.୫୭ ହାରରେ ୧୦୭୭୩ ରନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି । ସେ ୯୦ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ । ସେ ୬ଟି ଶତକ ସହିତ ଟେଷ୍ଟରେ ୪୮୭୬ ରନ କରିଛନ୍ତି । ସେ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଏବଂ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଧୋନୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ମାଥ୍ୟୁ ହେଡେନ୍, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍ ଭିଟୋରି, ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ହାସିମ୍ ଆମଲା ଏବଂ ଗ୍ରେମ ସ୍ମିଥ୍ ମଧ୍ୟ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ଏହି ବର୍ଷ ମୋଟ ପାଞ୍ଚ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା କ୍ରିକେଟରଙ୍କୁ ଏହି ମର୍ଯ୍ୟାଦାଜନକ ତାଲିକାରେ ସାମିଲ କରାଯାଇଛି । ଏହି ପାଞ୍ଚ ଜଣ ପୁରୁଷ କ୍ରିକେଟରଙ୍କ ବ୍ୟତୀତ, ଇଂଲଣ୍ଡର କିମ୍ବଦନ୍ତୀ ସାରା ଟେଲର ଏବଂ ପାକିସ୍ତାନର ସାନା ମିର ମଧ୍ୟ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ଆଇସିସି ହଲ୍ ଅଫ୍ ଫେମ୍ କ୍ରିକେଟର ମହାନ ଖେଳାଳିଙ୍କ ସଫଳତାକୁ ସ୍ୱୀକୃତି ଦିଏ । ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । ସେବେଠାରୁ ୧୨୨ ଜଣ ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି ।

Leave A Reply

Your email address will not be published.