କେନ୍ଦ୍ରାପଡା, ୯ା୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ ବୋଲି ଘୋଷଣା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ଏବଂ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ । କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରାଯିବ । ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ । ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍ଘାଟନ କରାଯିବ । କେନ୍ଦ୍ରାପଡ଼ାଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ । ଯେଉଁ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛନ୍ତି ତାହାର କାରଣ ବୁଝି ଏଥିପାଇଁ ଯାଥୋଚିତ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଏବଂ ଏହାର କାର୍ଯ୍ୟକାରୀ ହାର ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହାର ଆହୁରି ପ୍ରଗତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା କେନାଲ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଏହା ସହିତ ଜନ ଶୁଣାଣି, ଭତ୍ତା ବଣ୍ଟନ, ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦିରେ ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମ·ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି । ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି । ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଚୋରା ବାଲି ·ଲାଣ, ଆଇନ ଶୃଙ୍ଖଳା ଓ ସରକାରୀ କର୍ମ·ରୀ ଅଭାବ ଭଳି ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେ ପୁଣି କହିଥିଲେ ଯେ, ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ । ଏଥିପାଇଁ ନୂଆ ପ୍ରକଳ୍ପ ଯଥା ଶିଳ୍ପ ସ୍ଥାପନ, ପର୍ଯ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦିଆଯାଉ । ଏହା ସମ୍ପର୍କରେ ଏକ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରନ୍ତୁ । ଯେଉଁ ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀମାନେ ଯଥାଶୀଘ୍ର ପଦକ୍ଷେପ ନେଇ କାର୍ଯ୍ୟ ସମାପ୍ତ କରନ୍ତୁ । ସ୍ୱାସ୍ଥ୍ୟ ସେବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମାଆ ମନ୍ଦିର ଠାରୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇଥିଲେ । ପ୍ରତ୍ୟେକ ମାଆ ଓ ଭଉଣୀମାନଙ୍କର ସିନ୍ଦୁରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷି ରଥ ଓ ରାଜସ୍ୱ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।