ଭୁବନେଶ୍ୱର,: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ । ବାରସ୍ପତି ପ୍ରମିଳା ମଲ୍ଲିକଙ୍କୁ ପଠାଇଲେ ନିଜର ଇସ୍ତଫା ପତ୍ର । ଲଗାତାର ୪ ଥର ବିଧାୟକ ଥିଲେ ରଜନୀକାନ୍ତ । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି ଅଛନ୍ତି । ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସୂଚନା ଥାଉକି, ଗତ ଦୁଇଦିନ ହେବ ରାଜଧାନୀରୁ, ଢେଙ୍କାନାଳ ଓ ଅନୁଗୁଳ ସବୁଠି ଘୁରି ବୁଲୁଥିଲା ଚର୍ଚ୍ଚା । ହେଲେ ଏଭଳି ଚର୍ଚ୍ଚାକୁ ଶ୍ରୀ ସିଂହ ଖଣ୍ଡନ କରିନଥିଲେ । ମଙ୍ଗଳବାର ଦିନ ଉପବାଚସ୍ପତିଙ୍କ ଇସ୍ତଫା ନେଇ ଚର୍ଚ୍ଚା ଲାଗି ରହିଥିଲା । ତଥାପି ରାଜନୈତିକ ମହଲରୁ ଖବର ଆସୁଥିଲା ଯେ ଶ୍ରୀ ସିଂହ ବୁଧବାର ବିଧିବଦ୍ଧ ଭାବେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି । ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଇସ୍ତଫା ଦେଇଛି ବୋଲି ରାଜନୀକାନ୍ତ ସିଂହ କହିଛନ୍ତି । ସଂଗଠନକୁ ମଜଭୂତ କରିବା ଏବଂ ସାମ୍ବିଧାନିକ ପଦରେ ଥିବାରୁ ଅସୁବିଧା ହେଉଥିଲା । ଏବେ ପୁରା ସମୟ ଦେଇ ସଂଗଠନକୁ ମଜଭୂତ କରିବି ବୋଲି ଶ୍ରୀ ସିଂହ କହିଛନ୍ତି ।