ଭୁବନେଶ୍ୱର, : ଗତ ଜୁନ୍ ମାସରେ ରାଜ୍ୟରେ ଦରଦାମ୍ ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଆଡ଼େ ବଜାରରେ ଅପେକ୍ଷାକୃତ ଶସ୍ତାରେ ଜିନିଷ ଉପଲବ୍ଧ ହେଉଥିଲା । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଏହି ମାସରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ମାତ୍ର ୦.୫୨ ପ୍ରତିଶତ ରହିଛି ଯାହା ଗତ ମେ\’ ମାସରେ ୨.୨୮ ପ୍ରତିଶତ ଥିଲା । ଜୁଲାଇ ମାସରେ କିନ୍ତୁ ସ୍ଥିତି ବଦଳିଯାଇଛି । ବର୍ଷାଜନିତ କାରଣରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଦ୍ୱାରା ପନିପରିବା ଓ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଦେଖାଦେଇଛି । ସୂଚନା ଅନୁଯାୟୀ, ଗତ ମେ\’ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୧.୭୨ ପ୍ରତିଶତ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୫୬ ପ୍ରତିଶତ ଥିଲା । ଗୋଟିଏ ମାସ ପରେ ଜୁନ୍ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୦.୪୬ ପ୍ରତିଶତ ଓ ସହରାଞ୍ଚଳରେ ତାହା ୦.୬୪ ପ୍ରତିଶତକୁ ହ୍ରାସ ପାଇଛି । ଜୁନ୍ ମାସରେ ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର ଥିଲା । ତେଲେଙ୍ଗାନାର ମୁଦ୍ରାସ୍ଫୀତି ହାର ବିଯୁକ୍ତ ୦.୯୩ ପ୍ରତିଶତ ଓ ଆନ୍ଧ୍ରପ୍ରଦେଶରେ ଶୂନ ପ୍ରତିଶତ ରହିଛି । ତା\’ପଛକୁ ଓଡ଼ିଶାର ମୁଦ୍ରାସ୍ଫୀତି ୦.୫୨ ପ୍ରତିଶତ ରହିଛି । ଏହି ତିନି ରାଜ୍ୟ ବ୍ୟତୀତ ବିହାରରେ ମୁଦ୍ରାସ୍ପୀତି ୦.୭୫ ପ୍ରତିଶତ ରହିଛି । ଆଲୋଚ୍ୟ ମାସରେ ମଧ୍ୟ ୬.୭୧ ପ୍ରତିଶତ ସହ କେରଳ ମୁଦ୍ରାସ୍ଫୀତି ସର୍ବାଧିକ ଥିବା ସହ ପଞ୍ଜାବର ଦ୍ୱିତୀୟ ସର୍ବାଧିକ ୪.୬୭ ପ୍ରତିଶତ ରହିଛି । ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ବର୍ଷର ସର୍ବନିମ୍ନ ସ୍ତର ୨.୧୦ ପ୍ରତିଶତକୁ ହ୍ରାସ ପାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୧.୭୨ ପ୍ରତିଶତ ଓ ୨.୫୬ ପ୍ରତିଶତ ରହିଛି ।