ଓଡ଼ିଶା ବନ୍ଦ ପ୍ରଭାବ: ୧୫୦୦ କୋଟି କ୍ଷତି

0 35

ଭୁବନେଶ୍ୱର, : ବାଲେଶ୍ୱର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କଂଗ୍ରେସ ଓ ବାମଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା । ଏହି ବନ୍ଦ ଯୋଗୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଦୋକାନ ବଜାର ବନ୍ଦ ଠାରୁ ଆରମ୍ଭ କରି ଗାଡ଼ି, ବସ୍‌, ଟ୍ରକ୍‌, ଟ୍ୟାକ୍ସି, ଅଟୋ ଆଦିର ଚକା ନଗଡ଼ିବା କାରଣରୁ ଓଡ଼ିଶା ଅର୍ଥନୀତିକୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ରାଜ୍ୟ ସରକାରଙ୍କ ୨୦୨୪-୨୫ର ଅର୍ଥନେତିକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶା ଅର୍ଥନୀତିର ମୋଟ ଘରୋଇ ଉତ୍ପାଦ ବା ଜିଏସଡ଼ିପି ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କା ରହିଛି । ଅର୍ଥାତ୍ ରାଜ୍ୟର ଗୋଟିଏ ଦିନର ଜିଏସଡ଼ିପି ପ୍ରାୟ ୨୬୦୦ କୋଟି ଟଙ୍କା ହେବ । ସେହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ବନ୍ଦର ବଡ଼ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି । ଆଜିର ବନ୍ଦ ପାଇଁ ରାଜ୍ୟ ଅର୍ଥନୀତିକୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ମତ ଦେଇଛନ୍ତି । ବନ୍ଦ ପାଇଁ ପରିବହନ କ୍ଷେତ୍ରରେ ସବୁଠୁ ଅଧିକ କ୍ଷତି ହୋଇଛି । ବସ୍‌, ଟ୍ରକ୍‌, ଟ୍ୟାକ୍ସି, ଅଟୋ ଆଦି ଗଡ଼ି ପାରିନାହିଁ । ରାଜ୍ୟରେ ଅଢ଼େଇ ଲକ୍ଷ ଟ୍ରକ୍‌ ଠିଆ ହେବା କାରଣରୁ ସେମାନଙ୍କୁ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ସାଧାରଣ ସଂପାଦକ ରବି ଶତପଥୀ କହିଛନ୍ତି । ମିନିଟ୍ରକଗୁଡ଼ିକ ମଧ୍ୟ ପ୍ରାୟ ୪୦ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ନିଖିଳ ଓଡ଼ିଶା ମିନିଟ୍ରକ୍ ମାଲିକ ମହାସଂଘର ସଭାପତି ଗଣେଶ ମାହାରୀ ସୂଚନା ଦେଇଛନ୍ତି । ତେଣୁ ଟ୍ରକ ଶିଳ୍ପକୁ ୨୪୦ କୋଟି ଟଙ୍କାର କ୍ଷତି ହୋଇଛି । ରାଜ୍ୟରେ ପ୍ରାୟ ୧୬ ହଜାର ସରକାରୀ ଏବଂ ଘରୋଇ ବସ ଚଳାଚଳ ବନ୍ଦ ରହିବା ଫଳରେ ୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ମହାସଂଘର ସଭାପତି ଲୋକନାଥ ପାଣି କହିଛନ୍ତି । ଅଟୋ ଏବଂ ଟ୍ୟାକ୍ସି ଚଳାଚଳ କରି ନ ପାରିବା କାରଣରୁ ପ୍ରାୟ ୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି ଓଡ଼ିଶା ଅଟୋ ଏବଂ ଟ୍ୟାକ୍ସି ମହାସଂଘର ସାଧାରଣ ସଂପାଦକ ପଦ୍ମନ ସାମଲ କହିଛନ୍ତି । କେବଳ ସେତିକି ନୁହେଁ, ଆଜି ବନ୍ଦ ପାଇଁ ପାଖାପାଖି ୪୦ ପ୍ରତିଶତ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି ବାଧାପ୍ରାପ୍ତ ହୋଇଛି । ବନ୍ଦ ପାଇଁ ରାଜ୍ୟରେ ୫୦ କୋଟି ଟଙ୍କାର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଠପ୍ ହୋଇଥିବା ଓଡ଼ିଶା ପେଟ୍ରୋଲିୟମ୍‌ ଡିଲର୍ ମହାସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍ ମତ ଦେଇଛନ୍ତି । କେବଳ ଗାଡ଼ି କିମ୍ବା ପେଟ୍ରୋଲ୍‌, ଡିଜେଲ୍ ନୁହେଁ ବନ୍ଦ ପାଇଁ କଳ କାରଖାନାର ଉତ୍ପାଦନ ବନ୍ଦ, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ନଷ୍ଟ ଆଦି କାରଣରୁ ମଧ୍ୟ ବଡ଼ଧରଣର କ୍ଷତି ରାଜ୍ୟ ସହିବାକୁ ପଡ଼ିଛି ।

Leave A Reply

Your email address will not be published.