ଭୁବନେଶ୍ୱର, : ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ । ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି । ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି । ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଏ ଯିବ କିଏ ରହିବ ଆଉ କିଏ ଆସିବ ସେ ନେଇ ମନ୍ତ୍ରୀ କରିଡୋରରେ ବେଶ ତର୍ଜ୍ଜମା ଚାଲିଛି । କେଉଁମନ୍ତ୍ରୀ ଅଯୋଗ୍ୟ କେଉଁ ମନ୍ତ୍ରୀ ଅମାନିଆ ସେ ନେଇ ସବୁ ହିସାବ ନିକାସ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଯାହା ସ୍ଥିତି ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରୀ ମଣ୍ଡଳରେ ରହିପାରିବେ । ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ଆଉ ୨୧ ଜଣ ମନ୍ତ୍ରୀ ସାମିଲ ହେବେ । ହେଲେ ବର୍ତ୍ତମାନ ରାଜ୍ୟରେ ମାତ୍ର ୧୬ ଜଣ ମନ୍ତ୍ରୀ ଅଛନ୍ତି । ଅର୍ଥାତ ଆଉ ୫ ଜଣ ନୂଆ ମୁହଁ ସାମିଲ ହେବେ । ହେଲେ ଯଦି କିଏ ମନ୍ତ୍ରୀ ମଣ୍ଡଳରୁ ଗଡିପଡେ ତେବେ ଏହି ନୂଆ ମୁହଁ ସଂଖ୍ୟା ବୃଦ୍ଧି ପାଇବ । ତେବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି କେଉଁ ଆଧାରରେ ମନ୍ତ୍ରୀ ବାଛିବେ ସେ ନେଇ ସେମାନେ ଅଡୁଆରେ ପଡିଯାଇଛନ୍ତି । କାରଣ ଯଦି ଲୋକସଭା ନିର୍ବାଚନ ମଣ୍ଡଳିରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରିବେ ତେବେ ମୋଟ ୨୧ ପଦବୀ ପାଇଁ ୨୧ ଜଣ ରହିଯିବେ । ହେଲେ ଯଦି ଯୋଗ୍ୟତା ଆଧାରରେ କରିବେ ତେବେ ତାହା ଭିନ୍ନ କଥା । ତେବେ ବିଶେଷ ସୁତ୍ର ଅନୁସାରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଦିଲ୍ଲୀ ଅନୁମତିକୁ ଅପେକ୍ଷା କରିଛନ୍ତି । ସେମାନେ କେଉଁ ଆଧାରରେ ମନ୍ତ୍ରୀ ବଛାଯିବ ତାହାର ଫର୍ମୁଲା ମାଗିଛନ୍ତି । ତାହା ଆସିଯିବା ପରେ ସେହି ହିସାବରେ ମନ୍ତ୍ରୀ ବଛାଯିବ ବୋଲି ଜଣାପଡିଛି ।