କଟକ ଓ ଆଖପାଖ ଅଞ୍ଚଳକୁ ଏକ ସମୃଦ୍ଧ ମଡେଲ ଅଞ୍ଚଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

Cuttack and surrounding areas will be developed as a prosperous model region: Chief Minister

0 31

ଭୁବନେଶ୍ୱର, ୧୮ା୭ : କଟକ ସାଂସଦ ଭର୍ତୃହରି ମହତାବ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍ କନ୍ଭେନସନ ସେଂଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ, ସିଏମସି ଏବଂ ସିଡିଏ ଅଂଚଳ ପାଇଁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍, ମହାନଦୀରେ ବ୍ୟାରେଜ୍ ଯୋଜନା, ବଡମ୍ବା ସୁଗାର ମିଲ ଓ ଭଗତପୁର କଟନ ମିଲର ପୁନଃ କାର୍ଯ୍ୟକାରିତା, ଓ ଉପଖଣ୍ଡ ସ୍ତରୀୟ କୋଲ୍ଡ ଷ୍ଟୋରେଜ ନିର୍ମାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରୁ ଜଣା ପଡିଛି ଯେ, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ, ଅଧିକ ସଂଯୁକ୍ତ ପ୍ରୟାସ ଦ୍ୱାରା କଟକ ଜିଲ୍ଲା ଏବଂ ତାହାର ଉପଖଣ୍ଡ ଅଞ୍ଚଳକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ର ବନେଇବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.