କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୮ଟି ରାଜ୍ୟକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କହିଛନ୍ତି କେନ୍ଦ୍ର ସରକାର । ଏହି ରାଜ୍ୟଗୁଡ଼ିକ ହେଉଛି ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ହରିଆଣାଓ ଦିଲ୍ଲୀ । ଏହି ରାଜ୍ୟଗୁଡ଼ିକର କିଛି ଜିଲ୍ଲାରେ କରୋନା ପଜିଟିଭିଟି ହାର ୧୦% ଉପରେ ରହିଛି ।
ଉତ୍ତର ପ୍ରଦେଶରେ ଗୋଟିଏ ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହିଥିବା ବେଳେ ତାମିଲନାଡୁର ୧୧, ରାଜସ୍ଥାନର ୬, ମହାରାଷ୍ଟ୍ରର ୮, କେରଳର ୧୪, ହରିଆଣାର ୧୨ ଓ ଦିଲ୍ଲୀର ୧୧ଟି ଜିଲ୍ଲାର ପଜିଟିଭିଟି ହାର ୧୦% ଉପରେ ରହିଛି । ଏହି ୮ ରାଜ୍ୟକୁ ପଠାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସ୍ଥିତି ଶେଷ ହୋଇନାହିଁ । ଆମକୁ ସତର୍କ ରହିବାକୁ ପଡ଼ିବ । କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି ।

ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମ୍ ରହିଛି । କିନ୍ତୁ କିଛି ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବାର ସଙ୍କେତ ମିଳୁଛି । ଏହି ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରେ ନିୟନ୍ତ୍ରଣକୁ ଆଣିବା ଜରୁରି । ଜେନମ ସିକ୍ୱେନ୍ସିଂ ପାଇଁ ଅଧିକରୁ ଅଧିକ ପିଜିଟିଭ ନମୁନା ପଠାଇବା ପାଇଁ ଏହି ଚିଠିରେ ଏହି ରାଜ୍ୟଗୁଡ଼ିକୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୧୭୦କୁ ବୃଦ୍ଧି ପାଇଛି ।