ହାଇଦ୍ରାବାଦ, : ସାଙ୍ଗାରେଡ୍ଡି ଜିଲ୍ଲାର ପାସମିଲାରାମ ଶିଳ୍ପାଞ୍ଚଳରେ ଥିବା ସିଗାଚି ରାସାୟନିକ ଶିଳ୍ପରେ ସୋମବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ପରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ହସ୍ପିଟାଲରେ ଚିକିତ୍ସା ସମୟରେ ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ସାଙ୍ଗାରେଡ୍ଡି ଜିଲ୍ଲା କଲେକ୍ଟର ପ୍ରବୀଣ୍ୟ ଏବଂ ଏସପି ପରିତୋଷ ଘଟଣାସ୍ଥଳ ଯାଞ୍ଚ୍ କରିଥିଲେ । ସେମାନେ ଅଧିକାରୀମାନଙ୍କୁ ରିଲିଫ୍ ପଦକ୍ଷେପ ସମ୍ପର୍କରେ ଅନେକ ପରାମର୍ଶ ଦେଇଥିଲେ । ଦୁର୍ଘଟଣା ସମୟରେ ୧୦୦ରୁ ଅଧିକ ଶ୍ରମିକ ସିଫ୍ଟରେ ଥିଲେ । ସେ କହିଛନ୍ତି ଯେ, ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚନ୍ଦନନଗର ଏବଂ ଇସ୍ନାପୁରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ୧୧ଟି ଦମକଳ ଗାଡ଼ି ସହିତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ରାଜସ୍ୱ, ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଶ୍ରମିକଙ୍କ ପରିବାର ଲୋକ କାରଖାନା ବାହାରେ ଏକାଠି ହୋଇଛନ୍ତି । ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ ହୋଇଛି ।