ଜମ୍ମୁକାଶ୍ମୀର, : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫର ବଙ୍କର ଗାଡି । ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ । ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ସିଆରପିଏଫ୍ ୧୮୭ ବାଟାଲିଅନର ୨୩ଜଣ ଯବାନ ଏକ ବଙ୍କର ଗାଡି ଯୋଗେ ଅପରେସନରୁ ଫେରୁଥିଲେ । କଣ୍ଡୱା-ବସନ୍ତଗଡ଼ ମାର୍ଗରେ ସେନା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ନେଇ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ଶୋକ ବ୍ୟକ୍ତ କରିଛନ୍ତି । ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ରାସ୍ତା ଖରାପ ଥିବାରୁ ଗାଡି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିବା କୁହାଯାଉଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି ।