ଭୁବନେଶ୍ୱର,: ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହରେ ଓଡ଼ିଶାରେ ନଗଣ୍ୟ ୨ ପ୍ରତିଶତର ବୃଦ୍ଧି ହୋଇଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମେ\’ରେ ଓଡ଼ିଶାରେ ୫୧୦୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଏହା ୨୦୨୪ ମେ\’ରେ ସଂଗ୍ରହ କରାଯାଇଥିବା ୫୦୨୭ କୋଟି ଟଙ୍କା ତୁଳନାରେ ମାତ୍ର ଦୁଇ ପ୍ରତିଶତ ଅଧିକ । କିନ୍ତୁ କର୍ଣ୍ଣାଟକ (୨୦%), କେରଳ (୨୪%), ମହାରାଷ୍ଟ୍ର (୧୭%), ମଧ୍ୟପ୍ରଦେଶ (୧୦%), ପଶ୍ଚିମବଙ୍ଗ (୧୮%), ପଞ୍ଜାବ (୧୦%) ଓ ହରିୟାଣା(୧୦%) ଭଳି ରାଜ୍ୟ ଜିଏସ୍ଟି ସଂଗ୍ରହ ବାଇବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି । ଜିଏସଟି ସଂଗ୍ରହ ବୃଦ୍ଧିର ଜାତୀୟ ହାର ୧୬.୪ ପ୍ରତିଶତଠାରୁ ମଧ୍ୟ ଓଡ଼ିଶା ବହୁ ପଛରେ ରହିଛି । ମେ\’ରେ ଜାତୀୟ ସ୍ତରରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଚଳିତ ବର୍ଷ ଏପ୍ରିଲ୍ରେ କିନ୍ତୁ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ମେ\’ରେ ୩୫.୪୩୪ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୪୩,୯୦୨ କୋଟି ଟଙ୍କାର ରାଜ୍ୟ ଜିଏସଟି ଓ ୧.୦୯ ଲକ୍ଷ କୋଟି ଟଙ୍କାର ସମନ୍ୱିତ ଜିଏସଟି ସଂଗ୍ରହ କରାଯାଇଥିଲା । ଜେଲଏଟ୍ ଇଣ୍ଡିଆର ପାର୍ଟନର ଏମ୍ ଏସ୍ ମଣିଙ୍କ ଅନୁସାରେ ମେ\’ ମାସ ଜିଏସଟି ସଂଗ୍ରହରେ ଜାତୀୟ ସ୍ତରରେ କେଣସି ସ୍ପଷ୍ଟ ଚିତ୍ର ପ୍ରତିଫଳିତ ହୋଇନାହିଁ । ମହାରାଷ୍ଟ୍ର ଓ ତାମିଲନାଡ଼ୁ ଭଳି ରାଜ୍ୟରେ ଜିଏସଟି ସଂଗ୍ରହ ୧୭- ୨୫ ପ୍ରତିଶତ ଭଳି ଉଚ୍ଚ ହାରରେ ବଢ଼ିଛି । କିନ୍ତୁ ଗୁଜରାଟ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି ଅଭିବୃଦ୍ଧି ହାର ୬ ପ୍ରତିଶତ ଭିତରେ ସୀମିତ ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ୧୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । କ୍ଷେତ୍ରଭିତ୍ତିକ ପ୍ରଦର୍ଶନ କିମ୍ବା ଋତୁଭିତ୍ତିକ କାରଣ ପାଇଁ ଏଭଳି ଘଟିଥାଇପାରେ ବୋଲି ସେ କହିଛନ୍ତି ।