ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ

0 33

ୱାଶିଂଟନ୍‌, : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏକଥା ସେ ସୋମବାର ଟ୍ରମ୍ପଙ୍କୁ ଅବଗତ ମଧ୍ୟ କରିଛନ୍ତି । ଏଥିସହ ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ ନେତାନ୍ୟାହୁ ମନୋନୀତ କରାଯାଇଥିବା ଗୋଟିଏ ଚିଠିକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି । ବୈଠକ ବେଳେ ନେତାନ୍ୟାହୁ କହିଛନ୍ତି, ମୁଁ ଆପଣଙ୍କୁ କିଛି ଦେବାକୁ ଚାହୁଁଛି ମିଷ୍ଟର ପ୍ରେସିଡେଣ୍ଟ । ନୋବେଲ ପୁରସ୍କାର କମିଟିକୁ ମୁଁ ପଠାଇଥିବା ଚିଠି ଆପଣଙ୍କୁ ଦେଉଛି । ଆପଣଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏଇଟା ସେହି ଚିଠି । ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଆପଣ ହକଦାର ଓ ଆପଣ ଏହା ନିଶ୍ଚିତ ପାଇବେ । ଏକଥା କହିବା ପରେ ନେତାନ୍ୟାହୁ ମନୋନୀତ ପତ୍ରକୁ ଟ୍ରମ୍ପଙ୍କୁ ହସ୍ତାନ୍ତର କରିଛନ୍ତି । ଟ୍ରମ୍ପ ନିଜକୁ ଶାନ୍ତିର ଦୂତ ବୋଲି ପୂର୍ବରୁ କହି ବୁଲୁଥିବା ବେଳେ ନେତାନ୍ୟାହୁଙ୍କ ବୟାନ ପରେ ସେ ଆହୁରି ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରଥମେ ସେ ନେତାନ୍ୟାହୁଙ୍କ ଚିଠି ଦେଖି ଚକିତ ହୋଇଯାଇଥିଲେ । କିନ୍ତୁ ଏହାପରେ ସେ କହିଛନ୍ତି, ଆପଣଙ୍କ ଠାରୁ ଏହା ଆସିବା ବହୁତ ଗୁରୁତ୍ୱ ବହନ କରେ । ବହୁତ ବହୁତ ଧନ୍ୟବାଦ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜ ଟିମ ସହ ହ୍ୱାଇଟ ହାଉସକୁ ଡିନର କରିବାକୁ ଆସିଥିଲେ । ଚଳିତ ବର୍ଷ ନେତାନ୍ୟାହୁ ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ।

Leave A Reply

Your email address will not be published.