ଭୁବନେଶ୍ୱର, : ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ ବ୍ୟବହାର କରିବା ପାଇଁ ସଚେତନ କରାଇଛନ୍ତି । ଇନଫୋସିଟି ଅଞ୍ଚଳରେ ଥିବା ମାଗ୍ନେଟିକ୍ସ ସ୍କୋୟାର ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମହାପାତ୍ର ନିଜେ ରାସ୍ତାରେ ଉପସ୍ଥିତ ରହି ଅମାନିଆ ଗାଡ଼ି ଚାଳକମାନଙ୍କୁ ଅଟକାଇ ସେମାନଙ୍କୁ ହେଲମେଟର ଗୁରୁତ୍ୱ ବୁଝାଇଥିଲେ । ସେ କହିଥିଲେ ଯେ, ହେଲମେଟ ବ୍ୟବହାର କେବଳ ନିୟମ ପାଳନ ନୁହେଁ, ବରଂ ନିଜ ଜୀବନ ସୁରକ୍ଷା ପାଇଁ ଏକ ଅତ୍ୟାବଶ୍ୟକୀୟ ପଦକ୍ଷେପ । ଏହି ଅଭିଯାନକୁ ଭୁବନେଶ୍ୱରକଟକ ପୋଲିସ କମିଶନରେଟର ସହଯୋଗରେ ଆୟୋଜନ କରାଯାଇଥିଲା । ଇନଫୋସିଟି ଥାନା ଅଧିକାରୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ରାସ୍ତା ସୁରକ୍ଷା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ଜନସାଧାରଣଙ୍କ
ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସକ୍ରିୟ ଥିବା ଦେଖାଯାଇଛି । ଏହି ଅଭିଯାନ ମାଧ୍ୟମରେ ସେ ପୁଣି ଥରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ପାଳନ କରିବା ଏବଂ ନିଜ ସୁରକ୍ଷା ପାଇଁ ସଚେତନ ରହିବାକୁ ଆହ୍ୱାନ ଦେଇଛନ୍ତି ।