ଦୀପାବଳିରେ ୩% ଡିଏ ବୃଦ୍ଧି ଘୋଷଣା କରିବେ ସରକାର

Government to announce 3% DA hike on Diwali

0 26

ନୂଆଦିଲ୍ଲୀ,:ପାର୍ବଣ ଋତୁରେ କେନ୍ଦ୍ର ସରକାର ନିଜର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଜିଏସଟି ହାର ହ୍ରାସ ପରେ, ଏବେ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୨ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନେଇ ଘୋଷଣା ଅକ୍ଟୋବର ପ୍ରଥମ ସପ୍ତାହରେ କରାଯାଇପାରେ । ବିଜନେସ୍ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ସରକାର ଏହି ଘୋଷଣା ପାଇଁ ସ୍ୱତନ୍ତ୍ର ଭାବରେ ଦୀପାବଳିର ସମୟକୁ ବାଛିଛନ୍ତି ଯାହା ଦ୍ୱାରା କର୍ମଚାରୀ ଏବଂ ପେନସନଭୋଗୀମାନେ ଏହି ଘୋଷଣା ମାଧ୍ୟମରେ ପାର୍ବଣ ଋତୁରେ ଅତିରିକ୍ତ ସୁବିଧା ପାଇପାରିବେ । ଡିଏ ବୃଦ୍ଧି ଘୋଷଣା ପରେ, କର୍ମଚାରୀଙ୍କ ଡିଏ ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧ ପାଇବ । ଏହି ବୃଦ୍ଧି ଜୁଲାଇ ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ଅର୍ଥାତ୍ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ମାସର ବକେୟା ମଧ୍ୟ ମିଳିବ । ଯାହା ଅକ୍ଟୋବର ମାସର ଦରମା ସହିତ ଦିଆଯିବାର ସମ୍ଭାବନା ଅଛି । ଲ୍ଲେଖନୀୟ, କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ପ୍ରଥମ ସଂଶୋଧନ ହୋଲି ପୂର୍ବରୁ (ଜାନୁଆରୀ-ଜୁନ୍ ପାଇଁ) ଏବଂ ଦ୍ୱିତୀୟ ସଂଶୋଧନ ଦୀପାବଳି ପୂର୍ବରୁ (ଜୁଲାଇ-ଡିସେମ୍ବର ପାଇଁ) । ଗତ ବର୍ଷ ଅକ୍ଟୋବର ୨୦୨୪ରେ, ସରକାର ଦୀପାବଳିର ପ୍ରାୟ ୨ ସପ୍ତାହ ପୂର୍ବରୁ ଡିଏ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଚଳିତ ବର୍ଷ ଦୀପାବଳି ୨୦-୨୧ ଅକ୍ଟୋବରରେ ଅଛି ଏବଂ ଏହାକୁ ଦୃଷ୍ଟିରେ ରଖି, ଏହାକୁ କର୍ମଚାରୀଙ୍କ ପାଇଁ ଏକ ଉତ୍ସବ ଉପହାର ଭାବରେ ବିବେଚନା କରାଯାଉଛି । ମହଙ୍ଗା ଭତ୍ତାର ଗଣନା ସପ୍ତମ ବେତନ କମିସନ ଅଧୀନରେ ଶିଳ୍ପ ଶ୍ରମିକ ଉପଭୋକ୍‌ତା ମୂଲ୍ୟ ସୂଚକାଙ୍କ (ସିପିଆଇ-ଆଇଡବ୍ଲୁ) ଆଧାରରେ କରାଯାଇଥାଏ । ଏହାର ସୂତ୍ର ୧୨ ମାସର ସିପିଆଇ-ଆଇଡବ୍ଲୁ ହାରାହାରି ଉପରେ ଆଧାରିତ । ଜୁଲାଇ ୨୦୨୪ର ଜୁନ ୨୦୨୫ ପର୍ଯ୍ୟନ୍ତ, ସିପିଆଇ-ଆଇଡବ୍ଲୁ ହାରାହାରି ୧୪୩.୬ ଥିଲା, ଯାହା ଅଧୀନରେ ମହଙ୍ଗା ଭତ୍ତା ୫୮
ପ୍ରତିଶତ ହୋଇଛି । ଅର୍ଥାତ୍‌, ଏବେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ପାଇ ୫୮ ପ୍ରତିଶତ ହୋଇଯିବ । ଯାହା ଲକ୍ଷ ଲକ୍ଷ ପରିବାର ପାଇଁ ଆର୍ଥିକ ଦୃଷ୍ଟିରୁ ଏବଂ ପର୍ବ ଋତୁରେ ଏକ ଉପହାର ଭାବରେ ଏକ ବଡ଼ ଆଶ୍ୱସ୍ତି ହୋଇପାରେ ବୋଲି କୁହାଯାଉଛି । ଡିଏ ବୃଦ୍ଧି ପରେ, ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦,୦୦୦ ଟଙ୍କା ହୋଇଥାଏ, ତେବେ ପୂର୍ବରୁ ସେ ୫୫ ପ୍ରତିଶତ ହାରରେ ୨୭,୫୦୦ଟଙ୍କା ପାଉଥିଲେ । କିନ୍ତୁ, ଡିଏ ଲାଗୁ ହେବା ପରେ ଏହା ୨୯,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍‌, ପ୍ରତି ମାସରେ ପ୍ରାୟ ୧୫୦୦ ଟଙ୍କା ଅତିରିକ୍ତ ଲାଭ ମିଳିବ । ଅର୍ଥନୀତିଜ୍ଞମାନଙ୍କ ଅନୁସାରେ ବର୍ତ୍ତମାନ ଏହି ଡିଏ ବୃଦ୍ଧି କର୍ମଚାରୀ ଏବଂ ପେନସନଭୋଗୀଙ୍କୁ କ୍ଷଣସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିବ । କିନ୍ତୁ ୮ମ ବେତନ କମିସନ ଲାଗୁ ହେବା ପରେ ପ୍ରକୃତ ପରିବର୍ତ୍ତନ ଦେଖାଯିବ ।

Leave A Reply

Your email address will not be published.