ଦୈତାରୀ ଖଣି ଅଞ୍ଚଳରେ ପରିତ୍ୟକ୍ତ ଗୃହରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

Anganwadi center is operating in an abandoned house in the Daitari mining area

0 26

ଘଟଗାଁ, : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣି ପ୍ରଭାବିତ ଅଞ୍ଚଳ ଷେଣ୍ଢବ୍ୟାରେକ ଠାରେ ପରିତ୍ୟକ୍ତ ଗୃହରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ଏବେ ନୂତନ ଗୃହ ନିର୍ମାଣ କରାଯିବା ପାଇଁ ଦାବି ଜୋର ଧରିଛି । ଏଠାରେ ଅଙ୍ଗନୱାଡ଼ି ଗୃହ ନଥିବାରୁ ଓଏମସି ର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ଜରାଜୀର୍ଣ୍ଣ ଘରେ ଚାଲିଛି କେନ୍ଦ୍ର । ଏହି ଗୃହଟି ଓଏମସି ପୁରୁଣା ଗୃହ ଯାହାକି ରହିବା ପାଇଁ ତିଆରି ହୋଇଥିଲା ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏଠାରେ ଏବେ ପାଖାପାଖି ୪୦ ଜଣ ଛୋଟ ଛୋଟ ଶିଶୁ ନିଜର ଭବିଷ୍ୟତ ଗଠନ କରୁଛନ୍ତି । ଏହି ଅଙ୍ଗନୱାଡ଼ି କେନ୍ଦ୍ରଟି ଦଶ ବର୍ଷରୁ ଉର୍ଦ୍ଧ୍ୱ ହୋଇ ଥିବା ବେଳେ ସରକାରଙ୍କର ଏହି କୁନି କୁନି ପିଲାଙ୍କ ପ୍ରତି ଦୃଷ୍ଟି ପଡୁନାହିଁ । ଅଙ୍ଗନୱାଡ଼ି ଗୃହଟିଏ ଏଠାରେ ନିର୍ମାଣ କରିବା ପାଇଁ ବହୁବାର ହରିଚନ୍ଦନପୁର ସିଡ଼ିପିଓ ଠାରୁ ଆରମ୍ଭ କରି ହରିଚନ୍ଦନପୁର ବିଡ଼ିଓଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ ନ କରି ଚୁପ୍ ଚାପ୍ ହୋଇ ବସି ପଡ଼ିଛନ୍ତି । କେବଳ ମିଳୁଛି ମିଛ ପ୍ରତିଶ୍ରୁତି । ଫଳରେ କୁନି କୁନି ପିଲାମାନେ ଉନ୍ନତମାନର ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି । ଏହା ସହିତ ଏଠାରେ ବିଶୁଦ୍ଧ ପିଇବା ପାଣିର ମଧ୍ୟ ସୁବିଧା ନାହିଁ । ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଥିବା ଗୃହର କବାଟ ଝରକା ମଧ୍ୟ ଭାଙ୍ଗି ତୁଟି ଗଲାଣି ଘରଟିର ଚଟାଣ କାନ୍ଥ ଫାଠି ଆଁ କଲାଣି, କଳାପଟାଟିଏ ନଥିବାରୁ ଛୋଟ ଛୁଆମାନଙ୍କୁ ପାଠ ପଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଙ୍ଗନୱାଡ଼ି ଦିଦି । କେନ୍ଦ୍ର ସାମ୍ନାରେ ଏକ ସେପ୍ଟି ଟାଙ୍କୀ ଖୋଲା ଅବସ୍ଥାରେ ରହିଥିବାରୁ କୁନି କୁନି ପିଲାମାନଙ୍କ ପାଇଁ ଟିକିଏ ଅସାବଧାନତା ହେଲେ ଜୀବନ ପ୍ରତି ବିପଦ ରହିଛି । ଦୁଃଖର ବିଷୟଏହି ଷେଣ୍ଢବ୍ୟାରେକ ଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଅତି ନିକଟରେ ଦୈତାରୀ ଓଡ଼ିଶା ଖଣି ନିଗମ (ଓଏମସି) ରହିଥିଲେ ମଧ୍ୟ ଏସବୁ ଘଟଣା ତାଙ୍କୁ ଦେଖାଯାଉ ନାହିଁ । ଏଠାରେ ଅସ୍ୱାସ୍ଥ୍ୟକର ପରିବେଶରେ
ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି । କେନ୍ଦ୍ରର ପଛପଟକୁ ଘୁଷୁରୀମାନେ ସବୁବେଳେ ଚଳପ୍ରଚଳ କରୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ କୁନି କୁନି ପିଲାମାନଙ୍କ ପ୍ରତି ବିପଦ ରହିଛି । ସରକାରଙ୍କ ନିୟମ ଅନୁଯାୟୀ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ରହିଥିଲେ ମଧ୍ୟ ଏଠାରେ ନିୟମକୁ ଜଳାଞ୍ଜଳୀ ଦିଆଯାଇଛି । ସ୍ଥାନୀୟ ବିଧାୟକ ହୁଅନ୍ତୁ କିମ୍ବା ସାଂସଦ, ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନ ସମସ୍ୟା ପ୍ରତି ଗୁରୁତ୍ୱ ନଦେଇ ନିଜର ସ୍ୱାର୍ଥ ସାଧନ କରୁଥିବା ଦେଖାଯାଉଛି । ତେଣୁ କେନ୍ଦୁଝର ଜିଲ୍ଲାପାଳ ଖଣି ପ୍ରଭାବିତ ଅଞ୍ଚଳର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଏକ ନୂତନ ଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.