ପହଲଗାମ ଆକ୍ରମଣ: ୨ ଗିରଫ, ମିଳିଲା ୩ ଆତଙ୍କବାଦୀଙ୍କ ପରିଚୟ

0 45

ଜମ୍ମୁ ଓ କଶ୍ମୀର, : ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ଦୁଇ ମାସ ପୂରିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ଯେଉଁମାନେ ଆକ୍ରମଣକାରୀଙ୍କ ପାଇଁ ଆଶ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇଥିବା ନେଇ ଅଭିଯୋଗ ହୋଇଛି । ଏହା ସହିତ ଏହି ଆକ୍ରମଣ ଘଟଣାରେ ସଂପୃକ୍‌ତ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର । ପହଲଗାମରେ ଯେଉଁ ତିନି ଆତଙ୍କବାଦୀ ଆକ୍ରମଣ କରିଥିଲେ, ସେମାନଙ୍କ ପରିଚୟ ସଂପର୍କରେ ସୂଚନା ଦେଇଛନ୍ତି ଏହି ଦୁଇ ଅଭିଯୁକ୍ତ ଆତଙ୍କବାଦୀମାନେ ପାକିସ୍ତାନ ନାଗରିକ ଓ ସେମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ବୋଲି ଗିରଫ ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର ସ୍ପଷ୍ଟ କରିଛନ୍ତି ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି । ଏନ୍‌ଆଇଏର ତଦନ୍ତରୁ ଜଣାପଡ଼ିଛି ଯେ ସବୁ କଥା ଜାଣିଥିଲେ ସୁଦ୍ଧା ପରଭେଜ ଅହମଦ ଜୋଥର ଓ ବଶୀର ଅହମଦ ଜୋଥର ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିଲେ ଓ ସେମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା କରିଥିଲେ । ଆକ୍ରମଣ ପୂର୍ବରୁ ସେମାନେ ଆତଙ୍କବାଦୀମାନଙ୍କୁ ହିଲ୍ ପାର୍କରେ ଏକ କୁଡ଼ିଆରେ ଆଶ୍ରୟ ଦେଇଥିଲେ । ଏହା ସହିତ ସେମାନଙ୍କ ଖାଇବା ପିଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ । ଏହି ଆତଙ୍କବାଦୀମାନେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରନ ଧର୍ମ ପଚାରି କେବଳ ହିନ୍ଦୁ ବ୍ୟକ୍ତିମାନଙ୍କୁ ଗୁଳି କରିଥିଲେ । ସେମାନେ ୨୬ ଜଣଙ୍କୁ ମାରିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଜଣେ ମୁସଲିମ ଥିଲେ । ସେ ସ୍ଥାନୀୟ ବ୍ୟକ୍ତି ଥିଲେ ଓ ଜଣେ ଆତଙ୍କବାଦୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ପ୍ରୟାସ କରି ପ୍ରାଣ ହରାଇଥିଲେ । ବାକି ସମସ୍ତେ ପର୍ଯ୍ୟଟକ ଥିଲେ । ଏହି ଘଟଣା ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ବାଛି ବାଛି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ ପାଖାପାଖି ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ । ଏହା ପରେ ପାକିସ୍ତାନ ଡ୍ରୋନ୍ ଓ ମିସାଇଲରେ ଭାରତ ଉପରକୁ ଆକ୍ରମଣ କରିଥିଲା । ଭାରତ ଏହା ଜବାବ ଦେଇଥିଲା । ତେବେ ମେ\’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ହୋଇଥିଲା ।

Leave A Reply

Your email address will not be published.