ପ୍ରିଣ୍ଟ ମିଡ଼ିଆର ମହତ୍ତ୍ୱ ସର୍ବଦା ରହିଛି ଓ ରହିଥିବ

Print media has always been and will always be important

0 180

ଭୁବନେଶ୍ୱର,୨୦ା୧୨ : ଦୈନିକ ଓଡ଼ିଶା ଖବରକାଗଜ ‘ଡୁମାଣୀ ଖବର’ର ୫ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ ଶତପଥୀ, ବିଶିଷ୍ଟ ସାମ୍ବାଦିକ ତଥା ‘ପ୍ରତିଦିନ’ ଖବରକାଗଜର ସଂପାଦକ ସୁଧିର କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ, ଲେଖକ, ତଥା ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଜେପିର ପୂର୍ବତନ ମୁଖପାତ୍ର ସଜ୍ଜନ ଶର୍ମା, ‘ଡୁମାଣୀ ଖବର’ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏବେ ସମ୍ବାଦପତ୍ର ସଂଖ୍ୟା ବଢ଼ିବା ସହିତ ସେହି ଅନୁପାତରେ ସାମ୍ବାଦିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଇଲୋକ୍ଟ୍ରୋନିକ୍ସ ମିଡ଼ିଆଠାରୁ ଆରମ୍ଭ କରି ୱେବ୍‌ ଚ୍ୟାନେଲ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଛଡ଼ା ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଲୋକ ଜଣେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଦେଖାଯାଉଛି। କିନ୍ତୁ ଯାହା ଦେଖାଯାଉଛି ସେତେବେଳେ ସାମ୍ବାଦିକମାନଙ୍କର ଯେଉଁ ସମ୍ମାନ, ମୂଲ୍ୟବୋଧ ଓ ପ୍ରତିଷ୍ଠା ଥିଲା ତାହା କାଳକ୍ରମେ ହ୍ରାସ ପାଇବାରେ ଲାଗିଛି। ବିଶ୍ୱକୁ ଯେଉଁମାନେ ଗଢ଼ିଛନ୍ତି ବା ଗଢ଼ିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାମ୍ବାଦିକ। ସେ ଲେଲିନ୍‌ ହୁଅନ୍ତୁ, ମହାତ୍ମା ଗାନ୍ଧି କିମ୍ବା ଜବାହରଲାଲ ନେହରୁ, ଓଡ଼ିଶାରେ ଯେଉଁମାନେ ଅଗ୍ରଣୀ ଥିଲେ ସେମାନେ କେଉଁଠି ନା କେଉଁଠି ସମ୍ବାଦପତ୍ର କିମ୍ବା ସାମ୍ବାଦିକତା ସହିତ ଜଡ଼ିତ ହୋଇ ରହିଛନ୍ତି। ଖବରକାଗଜ ହିଁ ଲୋକମାନଙ୍କୁ ସଚେତନ ଓ ସଂଗଠିତ କରିହେବ। ଏଥିସହିତ ସମ୍ବାଦପତ୍ରର ସ୍ୱାଧୀନତା ହ୍ରାସ ପାଉଥିବାରୁ ଲୋକଙ୍କ ଅଧିକାର ଓ ସମସ୍ୟା ଉପସ୍ଥାପିତ କରିବା ସାମ୍ବାଦିକତାର ମୂଳଲକ୍ଷ୍ୟ ଶ୍ରୀ ଦାସ ଉଦ୍‌ବେଗ ପ୍ରକାଶ କରିବା ସହିତ ଲୋକଙ୍କ ଅଧିକାର ଓ ସମସ୍ୟାକୁ ଖବରକାଗଜରେ ଉପସ୍ଥାପିତ କରିବା ସାମ୍ବାଦିକତାର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ୫ ବର୍ଷ ଧରି ଖବରକାଗଜକୁ ଚଳାଇ ରଖିବା ଏକ ସାହସିକ ପଦକ୍ଷେପ। ଓଡ଼ିଆ ବ୍ୟତୀତ ଇଂରାଜୀ ଖବରକାଗଜ ‘ଡୁମାଣୀ ମେଲ’ ଓ ‘ଡୁମାଣୀ ଟିଭି’କୁ ଚଳାଇବା କେତେ ଯେ କଷ୍ଟକର ତାହା ଜଣେ ଅନୁଭବୀ ହିଁ ଜାଣିପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ବିଭିନ୍ନ ଟେକ୍ନୋଲୋଜି ଗଣମାଧ୍ୟମର ପ୍ରବେଶ ସତ୍ତେ୍ୱ ପ୍ରିଣ୍ଟ ମିଡ଼ିଆ ତିଷ୍ଠି ରହିଛି, ଆଗକୁ ତିଷ୍ଠି ରହିବ ମଧ୍ୟ। ଆମ ଦେଶରେ ବିଶ୍ୱର ସବୁଠାରୁ ସର୍ବାଧିକ ଖବରକାଗଜ ପ୍ରକାଶ ପାଉଥିଲେ ହେଁ ଯେ ପର୍ଯ୍ୟନ୍ତ ‘ଅକ୍ଷର’ ରହିଛି ସେତେଦିନ ଯାଏଁ ପ୍ରିଣ୍ଟ ମିଡ଼ିଆ ତିଷ୍ଠି ରହିବ ବୋଲି ଶ୍ରୀ ଦାସ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ ସାମ୍ବାଦିକ ହୋଇନଥିଲେ ମଧ୍ୟ ସମ୍ବାଦପତ୍ର ସହିତ ଆଜୀବନ ଜଡ଼ିତ ହୋଇ ରହିଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ହେଉଛି ସମଗ୍ର ଦେଶରେ ଅନନ୍ୟ। ଆମର ଦୁର୍ଗମ ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ କଳା, ସଂସ୍କୃତି ନୈପୁଣ୍ୟ ଭରପୁର ହୋଇ ରହିଛି। କିନ୍ତୁ ଆମେ ତାକୁ ଲୋକଲୋଚନକୁ ଆଣିପାରୁନାହୁଁ। ବଣ ମଲ୍ଲୀ ବଣରେ ଫୁଟିବା ଭଳି ସେସେବୁ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ତେଣୁ ଏହି ଅବକ୍ଷୟମୁଖୀ ହେଉଥିବା ଆମର ସଂସ୍କୃତି ଓ ପରମ୍ପରାକୁ ବଜାୟୀ ରଖିବାକୁ ହେବ। ଏହାର ପୁନରୁଦ୍ଧାର ପାଇଁ ସମ୍ବାଦପତ୍ରର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ‘ପ୍ରତିଦିନ’ ଖବରକାଗଜର ସଂପାଦକ ସୁଧିର କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମ୍ବାଦପତ୍ରକୁ ବଞ୍ଚାଇ ରଖିବା ଏକ କଷ୍ଟକର ବ୍ୟାପାର। ତଥାପି ଦୀର୍ଘ ୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ‘ଡୁମାଣୀ ଖବର’ ପ୍ରକାଶ ପାଇ ଚାଲିଛି। ସେଥିପାଇଁ ‘ଡୁମାଣୀ ଖବର’ର ସମ୍ପାଦକଙ୍କ ଉଦ୍ୟମକୁ ଧନ୍ୟବାଦ ଜଣାଇବା ସହିତ ସେ ଜଣେ ଦୃଢ଼ମନା ବ୍ୟକ୍ତି ବୋଲି କହିଥିଲେ। କେବଳ ଆଜି ନୁହେଁ ସମ୍ବାଦପତ୍ର ସଦାସର୍ବଦା ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା କରାୟତ ହୋଇ ଆସିଛି। ସରକାର ଯାହା ଚାହିଁବେ ତାହାହିଁ ଖବରକାଗଜରେ ପ୍ରକାଶ ପାଇବ। ଅନ୍ୟଥା ଏହି ଖବରକାଗଜକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏସବୁ ପ୍ରତିବନ୍ଧକ ସତ୍ତେ୍ୱ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ଏବଂ ଆମର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଲୋକଙ୍କ କଥା ଓ ବ୍ୟଥାକୁ ସରକାରଙ୍କ ପାଖରେ ପହଞ୍ଚାଇ ପାରିଲେ ଚତୁର୍ଥ ସ୍ତମ୍ଭର ଭୂମିକା ନିର୍ବାହ ହେଲା ବୋଲି ଆମେ ଜାଣିବା। ବିଶିଷ୍ଟ ସାହିତ୍ୟିକ, ଲେଖକ, ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ସମସ୍ତ ଅତିଥି ଓ ସାମ୍ବାଦିକଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଇବା ସହିତ ‘ଡୁମାଣୀ ଖବର’ ଆଗାମୀ ଦିନରେ ଏକ ଉତ୍ତମମାନର ଖବରକାଗଜ ରୂପେ ଗଢ଼ି ତୋଳିବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ସେଥିପାଇଁ ସାମ୍ବାଦିକ ବନ୍ଧୁମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେତେବେଳେ ସାମ୍ବାଦିକ ବୃତ୍ତିରେ ଯେଉଁ ସମ୍ମାନ, ପ୍ରତିଷ୍ଠା ଏବଂ ଖାତିର ଥିଲା ତାହା କାଳକ୍ରମେ ହ୍ରାସ ପାଇବାରେ ଲାଗିଛି। ଏହାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିବା ସହିତ ସମ୍ବାଦପତ୍ରର କଣ୍ଠରୋଧକୁ ବିରୋଧ କରିଥିଲେ। କଣ୍ଠରୋଧକୁ କେବଳ ‘ଡୁମାଣୀ ଖବର’ ଭଳି କେତେକ ସମ୍ବାଦପତ୍ର ହିଁ ରୋକି ପାରିବେ। ସେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ସତ୍ୟର ବଳ ହଜାର ହାତୀର ବଳ ସହିତ ସମାନ, କିନ୍ତୁ ମିଥ୍ୟାର ବଳ ହଜାର ଗଧର ବଳ ସହିତ ସମାନ। ପ୍ରଥମେ ଲୋକଙ୍କ ରୁଚି ଥିଲା ଖବରକାଗଜ, ପରେ ଟିଭି ଏବେ ଆର୍ଟିଫିସିଆଲ ଇଣ୍ଟେ ମିଡ଼ିଆର ଗୁରୁତ୍ୱ ସର୍ବଦା ରହିଛି ଏବଂ ରହିଥିବ ମଧ୍ୟ। ବିଜେପିର ପୂର୍ବତନ ମୁଖପାତ୍ର ସଜ୍ଜନ ଶର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେମାନେ ଖବର ପରିବେଷଣ ବେଳେ ଅନେକ ସମସ୍ୟା ଦେଇ ଗତି କରନ୍ତି। ବିଶେଷକରି ଗଣମାଧ୍ୟମ ବର୍ତ୍ତମାନ ତିନୋଟି ଜିନିଷ ମଧ୍ୟରେ ସୀମିତ ହୋଇ ରହିଯାଇଛି। ସମ୍ବାଦପତ୍ରର କଣ୍ଠରୋଧ ପାଇଁ ଅହରହ ଉଦ୍ୟମ ଜାରି ରହିଛି। କିନ୍ତୁ ତାହାରି ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ପୂର୍ବକାଳରେ ସାମ୍ବାଦିକତାର ଯାହା ସ୍ଥିତି ଥିଲା ବର୍ତ୍ତମାନ ତାହା ନାହିଁ। ତେଣୁ ସାମ୍ବାଦିକମାନଙ୍କ ପ୍ରଥମ କର୍ତ୍ତବ୍ୟ ହେଲା ଆମେ ଲୋକଙ୍କ କଥା ଶୁଣିବା, ଲୋକଙ୍କୁ ପଢ଼ିବା ଓ ଲୋକଙ୍କ କଥା କହିବା। ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ହେଉଛି ସାମ୍ବାଦିକତାର ମୂଳଲକ୍ଷ୍ୟ। ଏହାକୁ ନିଜର କର୍ତ୍ତବ୍ୟ ଭାବି ସୂଚାରୁରୂପେ ସମ୍ପାଦନ କଲେ ଯାଇ ଚତୁର୍ଥ ସ୍ତମ୍ଭର ଆଖ୍ୟା ଫଳବତୀ ହୋଇପାରିବ। ପାଠକ ହିଁ ଗଣମାଧ୍ୟମର ପ୍ରକୃତ ମାଲିକ ବୋଲି କହିଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଶ୍ୱନାଥ ପଟ୍ଟନାୟକ ଇନ୍‌ଭେଷ୍ଟିଗେଟିଂ ସାମ୍ବାଦିକତା ଓ ଆଇନ ମଧ୍ୟରେ ଥିବା ସଂପର୍କ ଉପରେ ଆଲୋକପାତକରିବା ସହିତ ସମ୍ବାଦିକମାନେ ତାଙ୍କ କର୍ତ୍ତବ୍ୟ ଉପରେ ଅଧିକ ଯତ୍ନଶୀଳ ହେବା ଉଚିତ୍‌ ବୋଲି କହିଥିଲେ। ସର୍ବଶେଷରେ ‘ଡୁମାଣୀ ଖବର’ର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସାମ୍ବାଦିକତା ଏକ ଭଲ ବୃତ୍ତି। ସେଥିପାଇଁ ସବୁ କ୍ଷେତ୍ରରେ ଜ୍ଞାନ ଆହରଣର ଆବଶ୍ୟକତା ରହିଛି। ‘ଡୁମାଣୀ ଖବର’ ସଠିକ୍‌ ଏବଂ ନିର୍ଭୁଲ ସମ୍ବାଦ ପ୍ରକାଶ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି, ସମସ୍ତଙ୍କର ସହଯୋଗ ରହିଲେ ଆଗକୁ ଏହାର ଉତ୍ତରୋତ୍ତର ଉନ୍ନତି ହୋଇପାରିବ। ଏଥିସହିତ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭବାନୀପାଟଣାର ସମାଜସେବୀ ଡା. ଶିବରାମ ନାୟକ, ଡା. ଅଶୋକ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ଡୁମାଣୀ ଖବର’ର ବାର୍ତ୍ତା ସମ୍ପାଦକ ନବ କିଶୋର ରାଉତରାୟ ବିବରଣୀପାଠ କରିଥିବା ବେଳେ ଅପର୍ଣ୍ଣା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ‘ଡୁମାଣୀ ଖବର’ର ସାଧାରଣ ପରିଚାଳକ (ଜିଏମ୍‌) ପଦ୍ମଲୋଚନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.