ବିମାନ ଦୁର୍ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କଲେ ମୋଦି

0 53

ନୂଆଦିଲ୍ଲୀ, : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥିତିର ସମୀକ୍ଷା ପାଇଁ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦୁର୍ଘଟଣାସ୍ଥଳ ଏବଂ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଏହାପରେ ମୋଦି ଏହି ବିମାନରେ ଯାତ୍ରା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାରଙ୍କୁ ମଧ୍ୟ ଭେଟିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହମ୍ମଦାବାଦ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ, ପୋଲିସ ସିଭିଲ୍‌ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ସୂଚନା ଅନୁଯାୟୀ, ଆହତମାନଙ୍କୁ ଚିକିତ୍ସା କରାଯାଉଥିବା ମହଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସେପଟେ ଏକ ଫୋରେନସିକ୍ ଦଳ ମଧ୍ୟ ଦୁର୍ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କରିଛି । ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ଏହି ସମୟରେ, ବିମାନ ଦୁର୍ଘଟଣାର ତଦନ୍ତ ମଧ୍ୟ ଜୋରଦାର ହୋଇଛି । ତଦନ୍ତ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ତେବେ ସାମ୍ପ୍ରତିକ ଇତିହାସର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଗୁରୁବାର ଅପରାହ୍ନରେ ଘଟିଥିବା ଅହମ୍ମଦାବାଦ ବିମାନ ଦୁର୍ଘଟଣା । ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ହେଲେ ଭାଗ୍ୟବଶତଃ ଦୁର୍ଘଟଣାରୁ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି । ଜଣେ ଦର୍ଶକଙ୍କ ଦ୍ୱାରା କଏଦ ହୋଇଥିବା ଫୁଟେଜରେ ଦେଖାଯାଇଛି ଯେ ବିମାନଟି ଉଚ୍ଚତା ହରାଇବା ସହିତ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଥିଲା ଏବଂ ଧକ୍କା ହେବା ପରେ ଅଗ୍ନିଗୁଳାରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଦୁଃଖଦ ବୋଲି କହିଛନ୍ତି । ସେପଟେ ଏୟାର ଇଣ୍ଡିଆର କମ୍ପାନୀ ଟାଟା ଗ୍ରୁପ୍‌ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛି ।

Leave A Reply

Your email address will not be published.