ଜଟଣୀ,: ଖରା ବଢିବା ସାଙ୍ଗକୁ ବଜାରରେ ପିଇବା ଥଣ୍ଡା ପାଣିର ଚାହିଦା ମଧ୍ୟ ବଢିଛି । ଏଥିପାଇଁ ଏବେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଦୋକାନରେ ମିଳୁଛି ପାଣି ବୋତଲ । ଏପରିକି ସହରର ବିଭିନ୍ନ ସ୍ଥାନରେ ବେଆଇନ ପାଣି କାରଖାନା ଗଢି ଉଠିଛି । ଖୋର୍ଦ୍ଧା ସହରର ସାହି ସାହିରେ ଏହା କୁଟୀର ଶିଳ୍ପରେ ପରିଣତ ହୋଇଛି । ମିଳୁଥିବା ପାଣିର ମୂଲ୍ୟ ନାମୀଦାମୀ କମ୍ପାନୀର ପାଖାପାଖି । କିନ୍ତୁ କେବେ ତିଆରି ହୋଇଛି, କେତେ ଯାଏଁ ତା\’ର ବୈଧତା ଅଛି, ବୋତଲ ପାଣି ବା ଜାର୍ ପାଣି ରେ ତା\’ର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ପାଣିର ସ୍ୱାଦ ବି ସେମିତି ଭଲ ନୁହେଁ । ଏହି ବୋତଲ ବା ଜାର୍ ପାଣି କିଛି ଅଂଶରେ କମ୍ ଦାମରେ ଓ ସୁବିଧାରେ ସବୁଠି ଉପଲବ୍ଧ ହେଉଥିବାରୁ ସବୁ ବର୍ଗର ଲୋକଙ୍କଠାରେ ଏହା ବେଶ ଆଦୃତ ହେଉଛି । ବଜାରରେ ପୁଳାପୁଳା ଏମିତି ନକଲି ପାଣିବୋତଲ ବା ପାଣିଜାର୍ ମିଳୁଛି । କିନ୍ତୁ ଏହି ପାଣି ଉପଯୁକ୍ତମାନର କି ନୁହେଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଯେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ କରିବ, ତାହାକୁ ଏଡାଇ ଦିଆଯାଇନପାରେ । ପ୍ରକାଶ ଥାଉକି, ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପାଣି ବୋତଲ ଓ ପାଣି ଜାର୍ ଲୋକଙ୍କ ପାଇଁ ଏକ ସୁବିଧା ପାନୀୟ ଜଳ
ମାଧ୍ୟମ ପାଲଟିଛି । ଫଳରେ ବିଭିନ୍ନ ନାମୀଦାମୀ କମ୍ପାନୀ ସହ କିଛି ଅନାମଧେୟ କମ୍ପାନୀ ମଧ୍ୟ ଏହାକୁ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଛାଡୁଛନ୍ତି । ଏହାକୁ ପ୍ରସ୍ତୁତ ପାଇଁ ବିଦ୍ଧିବଦ୍ଧ ନିୟମ ଥିଲେ ହେଁ ବଜାରରେ ଉପଲବ୍ଧ ଅଧିକାଂଶ ପାଣି ବୋତଲ ଓ ପାଣିଜାର୍ ଉତ୍ପାଦନ କମ୍ପାନୀ ଉକ୍ତ ନିୟମର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ସେହିପରି ଘରୋଇ ବିଦ୍ୟୁତ୍ ସଂଯୋଗରେ ଏଭଳି କୁଟୀର ଶିଳ୍ପ ଚାଲିବା ସହ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଫାଙ୍କୁଥିଲେ ମଧ୍ୟ ଏହା ଉପରେ ବିଭାଗ ଦୃଷ୍ଟି ନ ଦେବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ, ମିନେରାଲ୍ ୱାଟର ତିଆରି ପାଇଁ କେତେକ ପରୀକ୍ଷା ନିରୀକ୍ଷା କରାଯାଏ । ପାଣିକୁ ପ୍ରଥମେ ଭଲ ଭାବେ ବିଶୋଧନ ଓ ଜୀବାଣୁମୁକ୍ତ କରାଯାଏ । ୟୁଭି (ଅଲଟ୍ରା ଭାଓଲେଟ୍), ଓଜୋନ୍ ଏବଂ ଆରଓ (ରିଜର୍ଭ ଓମୋସିସ୍) ପ୍ରକ୍ରିୟା କରାଯାଏ । ପାଣି ବଜାରକୁ ଛଡ଼ାଯିବା ପୂର୍ବରୁ ଏହାକୁ ଭଲ ଭାବେ ପରୀକ୍ଷା କରାଯାଏ । ଏଥିସହିତ ପାଣି ଉତ୍ପାଦନ କମ୍ପାନୀ ଆଇଏସ୍ଆଇ ମାର୍କ ପାଇବା ସହ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନ କର୍ତ୍ତୃପକ୍ଷ (ଫୁଡ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ) ସହିତ ସ୍ଥାନୀୟ ପ୍ରଶାସନ ଠାରୁ ଏହି ବ୍ୟବସାୟ ଲାଗି ଅନୁମତି ନେବା ବାଧ୍ୟତାମୂଳକ ରହିଛି । ପ୍ରସ୍ତୁତ ପାଣିବୋତଲ ବା ପାଣିଜାର୍ ଉପରେ ବ୍ୟାଚ୍ ନମ୍ବର ସହ ଉତ୍ପାଦନ ତାରିଖ ସ୍ପଷ୍ଟ ଉଲ୍ଲେଖ ରହିବା ବାଧ୍ୟତାମୂଳକ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବୋତଲ ବା ଜାର୍ର ପ୍ୟାକିଂ ହୋଇଥିବା ପାଣି କେତେଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ତାହା ମଧ୍ୟ ଉଲ୍ଲେଖ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ମାତ୍ର ବଜାରରେ ଉପଲବ୍ଧ ନକଲି ଜାର୍ ପାଣି ଉପରେ ଉତ୍ପାଦନ ତାରିଖ କି ଅବଧି ଶେଷର ତାରିଖ ଲେଖା ହେଉନି । ଏପରିକି କେଉଁ ତାରିଖରେ ତାହା ପ୍ୟାକିଂ ହୋଇ କେତେଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ତାହା ଗ୍ରାହକମାନେ ଜାଣିବା ଅତ୍ୟନ୍ତ କଷ୍ଟକର ହୋଇ ପଡୁଛି । ତଥାପି ଶୋଷ ମେଣ୍ଟାଇବା ପାଇଁ ଏଭଳି ପାଣି କିଣିବାକୁ ବାଧ୍ୟ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ, ନିମ୍ନମାନର ପାନୀୟ ଅନେକ ପେଟ ରୋଗ ସହ ମାରାତ୍ମକ ରୋଗର କାରଣ ହୋଇପାରେ । ଯାହା ସ୍ୱାସ୍ଥ୍ୟାବସ୍ଥା ବିଗାଡ଼ି ଦେଇପାରେ । ଏଭଳି ପାନୀୟଠାରୁ ସବୁବେଳେ ଦୂରରେ ରହିବା ଦରକାର । ତେଣୁ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ୍ ପାଣି କାରଖାନାରେ ଚଢଉ କରାଯାଇ ଏହାର ସଠିକ୍ ଯାଞ୍ଚ କରାଗଲେ ଉତ୍ପାଦନରେ ସଠିକ ମାନ ରକ୍ଷା କରାଯିବା ସହ ବଜାରରେ ବିକ୍ରୀ ହେଉଥିବା ପାଣିର ପରୀକ୍ଷା କରିବା ଦିଗକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି ହେଉଛି ।