ବ୍ରହ୍ମପୁର — ବ୍ରହ୍ମପୁର ସହର ଓ ଏହାର ରେଳ ଷ୍ଟେସନ ସର୍ବ ପୁରାତନ ୧୮୬୯ ମସିହାର ହୋଇଥିଲେ ମଧ୍ୟ ରେଳ ବିଭାଗର ସୁନଜରରୁ ବଞ୍ଚିତ ଥିବାରୁ ଏହା ଯେପରି ବିକଶିତ ହେବା କଥା ତାହା ହୋଇ ନପାରି ଏକ ସ୍ମାରକୀ ଷ୍ଟେସନ ରୂପେ ମୁକ ସାକ୍ଷୀ ହୋଇ ଛିଡା ରହିଛି। ଏହାର ସମସାମୟିକ ଗଢ଼ି ଉଠିଥିବା ଷ୍ଟେସନ ଗୁଡିକ ବିଭିନ୍ନ ଉନ୍ନତିମୂଳକ ସ୍କିମରେ ସାମିଲ ହୋଇ ପ୍ରଗତି , ବିକାଶ ଓ ଅଭିବୃଦ୍ଧ କ୍ଷେତ୍ରର ଢେର ବାଟ ଆଗେଇ ଯାଇଥିଲା ବେଳେ ଏହା ଯେଉଁ ତିମିରକୁ ସେହି ତିମିରରେ ପଡି ରହିଛି। କୌଣସି ସରକାର ସମୟ ସହ ତାଳ ଦେଇ ଏହାର ସମୁଚିତ ବିକାଶର ପରିକଳ୍ପନା କଲେ ନାହିଁ। ସବୁଠାରୁ ବିଡମ୍ବନା ବିଷୟ ହେଲା ରାଜ୍ଵସ୍ଵ ଜେନେରେଟ କ୍ଷେତ୍ରର ଏହି ଷ୍ଟେସନ କଟକ,ରାଉରକେଲା , ବାଲେଶ୍ବର ଓ ସମ୍ବଲପୁର ପ୍ରଭୃତି ପ୍ରମୁଖ ଷ୍ଟେସନ ତୁଳନାରେ ଅଧିକ ଥିଲେ ମଧ୍ୟ ଏହାର ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ତଦନୁଯାୟୀ ହେଇ ପାରି ନାହିଁ । ଏହା ଯେ କୌଣସି ଏକ ଛୋଟ ପଲ୍ଲୀ ଶ୍ରେଣୀୟ ଷ୍ଟେସନ ଭଳି ରହିଛି ଯେ କେହି ଦେଖିଲେ ଜାଣି ପାରିବ। ସବୁ ଆଡ଼େ ବିଶ୍ଵ ସ୍ତରୀୟ ଓ ଅତ୍ୟାଧୁନିକ ଷ୍ଟେସନ ନିର୍ମାଣ କରାଯାଉ ଥିବା କୁହାଯାଉଥିଲା ବେଳେ ଏଠାରେ ସର୍ବବିମ୍ନ ସୁବିଧା ଓ ସେବା ପ୍ରଦାନ କରିବାରେ ବିଭାଗର ଯେଉଁ ସମର୍ପିତ ଆଭିମୁଖ୍ୟ ରହିବା କଥା ତାହା ପ୍ରକଟିତ ହେଉନାହିଁ। ଅଧିକନ୍ତୁ କୋଚିଙ୍ଗ ଡିପୋ ସ୍ଥାପନ, ୱାସ ବେଶିନ ନିର୍ମାଣ ସହ ଏଠାରୁ ଦେଶର ପ୍ରମୁଖ ସହରକୁ ସିଧାସଳଖ ଗମନାଗମନ ନିମନ୍ତେ ଡାଇରେକ୍ଟ ଟ୍ରେନ ସୁବିଧା ବିଷୟ ହେଉ ସବୁଥିରେ ଅଣଦେଖା ଓ ଅବହେଳାର ଶିକାର ହୋଇ ଆସିଛି ବ୍ରହ୍ମପୁର । ଏ ପରୀପ୍ରେକ୍ଷୀରେ ସବୁଠାରୁ ପୀଡା ଦାୟକ କଥା ହେଲା ଯେ ବହୁ ବର୍ଷ ପୂର୍ବେ ରେଳ ମନ୍ତ୍ରାଳୟ ଶିତଳାପଲ୍ଲି ଠାରେ ଏକ ରେଳ ୱାଗନ ନିର୍ମାଣ କାରଖାନା ପ୍ରକଳ୍ପ ସ୍ଥାପନ ନେଇ ନୀତିଗତ ନିଷ୍ପତ୍ତି ଘୋଷଣା କରିଥିଲା। ଏଥି ନିମନ୍ତେ କିଛି ପରିମାଣରେ ଜମି ଅଧିଗ୍ରହଣ ମଧ୍ୟ ସରିଥିଲା। କିନ୍ତୁ ବର୍ତ୍ତମାନ ସେ ପ୍ରକଳ୍ପର ଭାଗ୍ୟ ଓ ସ୍ଥିତି କଣ ତାହା କାହାକୁ ଜଣା ନାହିଁ। ଏହି ପବ୍ଲିକ ସେକ୍ଟର କାରଖାନାଟି ସ୍ଥାପନା ହୋଇଥିଲେ ଏଠାରେ ତାକୁ ଯୋଡ଼ି ଅନେକ ଆନୁଷଙ୍ଗିକ ଶିଳ୍ପ ଗଢ଼ି ଉଠି ଥାନ୍ତା । ତତ୍ ସହିତ ଏଠାକୁ ଦେଶ ବିଦେଶରୁ ପୁଞ୍ଜି ନିବେଶ ନିମନ୍ତେ ଆଗଭର ବଢିବା ସହ ଅନେକ ବଡ଼ ବଡ ଶିଳ୍ପାନୁଷ୍ଠାନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆସିଥାନ୍ତେ। ଫଳରେ ବ୍ରହ୍ମପୁର ଏକ ମେନୁଫେକ୍ଚରିଂ ହବ୍ ରେ ଅଚିରେ ପରିଣତ ହେଇପାରି ଥାନ୍ତା। ତତ୍ ସହିତ ଏଠାକାର ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ସହ ବହୁତ ବଡ଼ ରୋଜଗାରର ଅବସର ସୃଷ୍ଟି ହେଇଥାନ୍ତା । ପରନ୍ତୁ କଟା ଘାରେ ଚୂନ ଦେବା ଭଳି ନିକଟରେ ରେଳ ମନ୍ତ୍ରାଳୟ କୋକପରା ଠାରେ ବନ୍ଦେ ଭାରତ ରେଳ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି। କୋକପରା ଖଡଗପୁର ଡିଭିଜନ ଅଧିନରେ ଆସୁଥିବା ଗୋଟିଏ ଛୋଟିଆ ଷ୍ଟେସନ ଯାହା ଝାଡଖଣ୍ଡ ପ୍ରଦେଶର ପୂର୍ବ ସିଂହଭୂମି ଜିଲ୍ଲାରେ ଅବସ୍ଥିତ। ଯଦିଓ ଏହା ମୁଖ୍ୟତଃ ଜନଜାତି ବହୁଳ ଅଞ୍ଚଳ ତଥାପି ଏହା ବିଚ୍ଛିନ୍ନାଞ୍ଚଳ ହୋଇଥିବାରୁ ଏଠାରେ ଅନେକ ଓଡ଼ିଆ ଭାଷା ଭାଷୀ ଲୋକେ ବସବାସ କରୁଛନ୍ତି। ତେଣୁ ଏଠାରେ ଆମେ ଗୋଟିଏ କଥା କହିପାରିବା ଯେ ରେଳ ମନ୍ତ୍ରାଳୟ ଚାହିଁଥିଲେ ଏହି କାରଖାନାକୁ ଝାଡଖଣ୍ଡର କୋକପରା ପରିବର୍ତ୍ତେ ଓଡିଶାର ଶିତଳାପଲ୍ଲି ଠାରେ ସ୍ଥାପନ କରି ପାରିଥାନ୍ତେ। ତେଣୁ ଏହା ରେଳ ମନ୍ତ୍ରାଳୟର ବ୍ରହ୍ମପୁର ପ୍ରତି ହତାଦର ଓ ନିଷ୍କ୍ରିୟତା ଛଡ଼ା ଆଉ କଣ ହୋଇପାରେ। ସେହିଭଳି ମାନସିକ ଭବେ ଆମକୁ ଏହା ଆହୁରି ଆଘାତ ଦେଉଛି ଯେ ରେଳ ମନ୍ତ୍ରାଳୟକୁ ନେତୃତ୍ବ ନେଉଥିବା ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଟମ୍ୱ ଓଡ଼ିଶାରୁ ନିର୍ବାଚିତ ହେଇଥିବା ଜଣେ ରାଜ୍ୟସଭା ସଦସ୍ୟ ହୋଇଥିଲେ ସୁଦ୍ଧା ଓଡିଶାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏହି ସର୍ବପୁରାତନ ବ୍ରହ୍ମପୁରର ରେଳ ବିକାଶ ପ୍ରତି ରେଳ ବିଭାଗ ଧାରାବାହିକ ଭାବରେ ବୈମାତୃକ ଓ ଉପେକ୍ଷିତ ମନୋଭାବ ପ୍ରଦର୍ଶନ କରି ଆସୁଛି । ସୁତରାଂ ସେ ଏଠାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଏହାକୁ ଦୂର କରିବା ଦିଗରେ କୌଣସି ପଦକ୍ଷେପ ନନେବା ଏଠାକାର ଅଧିବାସୀଙ୍କୁ ନିରାଶ କରିଛି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଟମ୍ଵଜୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବନ୍ଦେ ଭାରତ ରେଳ କାରଖାନାକୁ ଶୀତଳାପଲ୍ଲି ଠାରେ ସ୍ଥାପନ କରିବା ନେଇ ବିଚାର କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ନିବେଦନ କରିଛନ୍ତି। ଏ ଦିଗରେ ମାନ୍ୟବର ବ୍ରହ୍ମପୁର ସାଂସଦ ଓ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।