ବ୍ଲକରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନ: ଗାଁରେ ୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

0 91

ଲାଞ୍ଜିଗଡ, : କିଛିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ମଝିରେ ମଝିରେ କାଳବୈଶାଖ ଯୋଗୁଁ ବର୍ଷା ଓ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଗ୍ରୀଷ୍ମପ୍ରବାହ ଓ ବର୍ଷା ବିତ୍ପାତ ଦେଖା ଦେଇଥିବା ବେଳେ ବର୍ତ୍ତମାନ ଏବେ ବ୍ଲକର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ମ୍ୟାଲେରିଆ ପ୍ରକୋପ । ବର୍ତ୍ତମାନ ବ୍ଳକର ଲାଞ୍ଜି ପଞ୍ଚାୟତ ତୁର୍କା ଗାଁରେ ଏହାର ପ୍ରକୋପ ଦେଖା ଦେଇଥିବାଳେ ଗାଁର ଦଶମୀ ମାଝୀ, ମିନି ମାଝୀ, ଫୁଲମତି ମାଝୀ, ଶ୍ରୀମତୀ ମାଝୀ, କର୍ଲା ମାଝୀ ସମେତ ଛୋଟ ଛୋଟ ଶିଶୁ, ମହିଳା ଓ ପୁରୁଷ ୧୫ରୁ ଉର୍ଦ୍ଧ୍ୱ ଆଜିକୁ ୧୩ ଦିନ ହେଲା ମ୍ୟାଲେରିଆ ପ୍ରକୋପରେ ଆକ୍ରାନ୍ତ ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ନଥିବା ଲୋକେ ପ୍ରକାଶ କରିଛନ୍ତି । ଏହି ଆଦିବାସୀମାନେ, ମ୍ୟାଲେରିଆରେ ଗୁରୁତର ହୋଇ ଗାଁଠାରୁ ୧୪ କିମି ଦୂର ମୂଷାନାଳ ସ୍ଥିତ ଔଷଧ ଦୁକାନରେ ଜଣେ ଜଣେ ୮ ଶହରୁ ୧ ହଜାର ପର୍ଯ୍ୟନ୍ତ ଔଷଧ କିଣି ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ଖବର ପାଇବା ପରେ ଗାଁ ଦାୟିତ୍ୱରେ ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କ ହାତରେ ପାରାସିଟ ବଟିକା ଗାଁକୁ ପଠେଇ ଥିବା ଲୋକେ ପ୍ରକାଶ କରିଛନ୍ତି । ହେଲେ ବାରମ୍ବାର ଖବର ଦେବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ ଗାଁକୁ ଯାଉ ନାହାଁନ୍ତି । ଏପଟେ ମେଲେରିଆ ଜରରେ ଆକ୍ରାନ୍ତ ହୋଇ ନିଜ ଇଛା ଅନୁସାରେ ଔଷଧ ଖାଇବାରୁ ସ୍ୱାସ୍ଥ୍ୟବସ୍ତାରେ ସୁଧାର ଆସୁନାହିଁ । ଏନେଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କାଙ୍କୁ ପଚାରିବାରୁ ତୁର୍କା ଗାଁରେ ଲୋକେ ମେଲେରିଆରେ ଆକ୍ରାନ୍ତ ଥିବା ଅଭିଯୋଗ ଆସିଛି । ଗୁରୁବାର ସକାଳେ ଏମଏଚୟୁ ଟିମକୁ ପାଠାଇବି ବୋଲି ପ୍ରକାଶ କରିଛନ୍ତି । ତୁର୍କା ବ୍ୟତୀତ ବ୍ଲକର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ପ୍ରତିଦିନ ଜ୍ୱର, କାଶ ରୋଗୀଙ୍କ ଲମ୍ବା ଧାଡି ଲାଗି ରହିଛି । ସେହିପରି ଭୁତାଣୁଜନିତ ଜ୍ୱର ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହିସବୁ ହସ୍ପିଟାଲଗୁଡିକରେ ଦିନକୁ ଦିନ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢିଯାଇଛି । ଏପଟେ ବ୍ଲକର ୨୪ଟି ଉପସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ କେବଳ ସପ୍ତାହରେ ଥରେ ଦୁଇ ଥର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁଁ ମ୍ୟାଲେରିଆ ରୋଗୀ ଚିହ୍ନଟ କରିବା ସମ୍ଭବ ହେଉନାହିଁ । ଯାହା ଫଳରେ ମେଲେରିଆ ପ୍ରକୋପରେ ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୂଚନା ଅନୁସାରେ ପ୍ରତିଦିନ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ରୁ ୪୦, ଲାଞ୍ଜିଗଡ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ରୁ ୧୫, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ରୁ ୧୨, ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ରୁ ୧୮, ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୫ରୁ ୩୫ଜଣ ମ୍ୟାଲେରିଆ ପୋଜେଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ରୋଗୀଙ୍କ ଦେହରେ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଲାଞ୍ଜିଗଡ ବ୍ଲକରେ ମ୍ୟାଲେରିଆକୁ ନେଇ କୌଣସି ସଚେତନତା କରାଯାଉନାହିଁ । ଏନେଇ ଗତ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତି ସଭ୍ୟମାନେ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ଅନୁପସ୍ଥିତ ନେଇ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ । ଗତ ମେ ମାସ ୨ ତାରିଖରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ଲାଞ୍ଜିଗଡ ଅଞ୍ଚଳରେ ମ୍ୟାଲେରିଆ ପ୍ରକୋପ ବଢୁଥିବା ନେଇ ପରାମର୍ଶ ଦେଇଥିଲେ । ଏଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଲାଞ୍ଜିଗଡ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.