ନୂଆଦିଲ୍ଲୀ, : ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି । ଯାହା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗୀକରଣରେ ନୂଆ ଅଧ୍ୟାୟ ଆରମ୍ଭ କରିବ । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଘୋଷଣା କରିଛନ୍ତି ଯେ, ଷ୍ଟାରଲିଙ୍କକୁ ଏକୀକୃତ ଲାଇସେନ୍ସ ପ୍ରଦାନ କରାଯାଇଛି । ସେ କହିଛନ୍ତି, ସ୍ପେକ୍ଟ୍ରମ ଆବଣ୍ଟନ ଓ ଗେଟୱେ ସ୍ଥାପନ ପାଇଁ ଫ୍ରେମୱର୍କ ପ୍ରସ୍ତୁତ, ଯାହା ସୁଗମ ରୋଲଆଉଟ ନିଶ୍ଚିତ କରିବ । ଟେଲିକମ୍ ବିଭାଗ ଜୁଲାଇରେ ଷ୍ଟାରଲିଙ୍କର ଆବେଦନକୁ ଅନୁମୋଦନ କରିଥିଲା, ଯାହା ୨୦୨୧ରୁ ନିୟନ୍ତ୍ରଣ ଯାଞ୍ଚ ଓ ସ୍ପେକ୍ଟ୍ରମ ବଣ୍ଟନ ସମସ୍ୟା ହେତୁ ବିଳମ୍ବ ହୋଇଥିଲା । ଏହି ଲାଇସେନ୍ସ ସହିତ ଷ୍ଟାରଲିଙ୍କ ଏବେ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ଅପେକ୍ଷା କରୁଛି, ଯାହା ଟେଲିକମ ନିୟାମକ କର୍ତ୍ତୃପକ୍ଷ ଦ୍ୱାରା
ଚୂଡ଼ାନ୍ତ ହେବ । ମୂଲ୍ୟ ଓ ପ୍ଲାନ: ଷ୍ଟାରଲିଙ୍କର ହାର୍ଡୱେର କିଟ୍ (ସାଟେଲାଇଟ ଡିସ୍, ରାଉଟର ଓ ମାଉଣ୍ଟିଂ ଉପକରଣ) ପାଇଁ ଏକକାଳୀନ ମୂଲ୍ୟ ପ୍ରାୟ ୩୩,୦୦୦ ଟଙ୍କା ହେବ । ମାସିକ ଅସୀମିତ ଡାଟା ଯୋଜନାର ମୂଲ୍ୟ ପ୍ରାୟ ୩,୦୦୦ ଟଙ୍କା ହେବ, ତେବେ ପ୍ରାରମ୍ଭିକ ପ୍ରୋମୋସନାଲ ଯୋଜନା ୮୫୦ ଟଙ୍କାରୁ ଆରମ୍ଭ ହୋଇପାରେ । ଇଣ୍ଟରନେଟ ଗତି ୨୫
ରୁ ୨୨୦ ଏମବିପିଏସ୍ ମଧ୍ୟରେ ରହିବୟ ଷ୍ଟାରଲିଙ୍କ ପ୍ରାରମ୍ଭରେ ୨୦ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରିବ, ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳକୁ ଟାର୍ଗେଟ କରି ରିପୋର୍ଟ ୨୦୨୩ ଅନୁଯାୟୀ, ଭାରତର ୬୫% ଗ୍ରାମୀଣ ଜନସଂଖ୍ୟା ନିର୍ଭରଯୋଗ୍ୟ ଇଣ୍ଟରନେଟରୁ ବଞ୍ଚିତ । ଷ୍ଟାରଲିଙ୍କର ଲୋ-ଆର୍ଥ ଅର୍ବିଟ ସାଟେଲାଇଟ ଏହି ଡିଜିଟାଲ ବିଭେଦକୁ ଦୂର କରିବାରେ ସହାୟକ ହେବ । ଷ୍ଟାରଲିଙ୍କ ଭାରତୀ ଏୟାରଟେଲ ସମର୍ଥିତ ଇଉଟେଲସାଟ ଓନୱେବ ଓ ରିଲାଏନ୍ସ ଜିଓର ଏସ୍ଇଏସ୍ ସହ ଜୋଟ ସହିତ ପ୍ରତିଯୋଗିତା କରିବ । ଏହି କମ୍ପାନୀମାନେ ମଧ୍ୟ ସ୍ପେକ୍ଟ୍ରମ ଆବଣ୍ଟନର ଅପେକ୍ଷାରେ ଅଛନ୍ତି । ଷ୍ଟାରଲିଙ୍କ ୨୦୨୫ ଶେଷ ବା ୨୦୨୬ ଆରମ୍ଭରେ ସେବା ଆରମ୍ଭ କରିବ ବୋଲି ଆଶା କରାଯାଉଛି ।