ମନ୍ତ୍ରୀଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

0 78

ଯାଜପୁର, : ଗୁରୁବାର ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଡାଇରିଆ ରୋଗୀଙ୍କୁ ରେଟି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଡାଇରିଆ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଯାଜପୁର ସାଂସଦ ଡ଼ା.ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜୁନ ୧୦ ତାରିଖରୁ ହଠାତ ଆରମ୍ଭ ହୋଇଥିବା ଡାଇରିଆ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଓ ଜଳଉତ୍ସ ବିଶୁଦ୍ଧିକରଣ ଏବଂ ସୂଚନା ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସକ, ଏସସିବିରୁ ଆସିଥିବା ମେଡିକାଲ ଟିମ୍‌, ଅଧିକ ଆସିଷ୍ଟାଣ୍ଟ ପ୍ରଫେସର, ଟ୍ୟୁଟର୍‌ମାନଙ୍କୁ ପଠାଯାଇଛି । ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରିବାକୁ ସୂଚିତ କରାଯାଇଛି । ପ୍ରତ୍ୟେକ ରୋଗୀଙ୍କ ପରିଚାରକଙ୍କୁ ୩୦୦ ମି.ଗ୍ରା ର ଡୋକ୍ସିସାଇକ୍ଲିନ୍ ପ୍ରତିଷେଧକ ପ୍ରଦାନ କରାଯାଇଛି । ଜିଲ୍ଲାରେ ବହୁଳ ମାତ୍ରାରେ ସରକାରୀ, ବେସରକାରୀ ଟ୍ୟୁବ୍ ୱେଲ୍‌, କୂଅ, ଓଭର ହେଡ ଟାଙ୍କି ଖୋଲା ଜଳଉତ୍ସ ଗୁଡ଼ିକୁ ବିଶୁଦ୍ଧିକରଣ କରାଯାଇଛି । ଯେଉଁଠି ବେଶୀ ସଂକ୍ରମଣ ଦେଖାଦେଉଛି ସେଠାରେ ପ୍ରତିଦିନ ଏବଂ ଦିନେ ଛାଡ଼ି ଦିନେ କ୍ଲୋରିନେସନ ଏଚ୍‌୨ଏସ୍ କିଟ୍ ମାଧ୍ୟମରେ ଜଳ ପରୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଆଶା, ଅଙ୍ଗନୱାଡି କର୍ମୀ, ଏସଏଚଜି, ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ଓ ଆର ଏସ ହୋଲୋଜେନ ବଟିକା, ସାବୁନ୍‌ ବଣ୍ଟନ କରାଯାଉଛି । ସମସ୍ତଙ୍କୁ ଫୁଟା ପାଣି ପିଇବା, ଘରେ ଗରମ ରନ୍ଧା ଖାଦ୍ୟ ଖାଇବା, ଖୋଲା ସ୍ଥାନରେ ମଳ ତ୍ୟାଗ ନକରିବା ଶୌଚାଳୟ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ସମସ୍ତ ଜାଗାରେ ଠିକ୍ ଭାବେ ଜଳ ବିଶୁଦ୍ଧିକରଣ ହେଉଛି କି ନାହିଁ ତାହାକୁ ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ । ଦ୍ୱିତୀୟ ବର୍ଗର ଅଧିକାରୀମାନେ ଗାଁକୁ ଯାଇ ଉପଯୁକ୍ତ କ୍ଲୋରିନେସନ୍ ହେଉଛି କି ନାହିଁ ତଦାରଖ କରିବେ । କମ୍ୟୁନିଟି ସରକାରୀ କର୍ମଚାରୀମାନେ ଡାଇରିଆ ଚେନ୍‌କୁ ଭାଙ୍ଗିବାର ବହୁତ ବଡ଼ ଭୂମିକା ରହିଛି । ଆଶା, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ ଓ ଜନ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କୁ ବିଶ୍ୱାସକୁ ନେଇ ସମ୍ବେଦନଶୀଳ ଅଞ୍ଚଳରେ ସଚେତନତା ବାର୍ତ୍ତା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନର ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ । ଯେଉଁ ଲୋକ ମେଡିକାଲରୁ ଚିକିତ୍ସିତ ହୋଇ ଫେରୁଛନ୍ତି ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ପରାମର୍ଶ ଦେଇଥିଲେ । ଡାଇରିଆ ନିୟନ୍ତ୍ରଣ ହେଲେ ମଧ୍ୟ ୧ ମାସ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଥା ଡିସଇନଫେକ୍ସନ୍ ଚାଲୁରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସିଏଚସି, ଓପିଏଚସିରେ ଆବଶ୍ୟକୀୟ ଚିକିତ୍ସା ସୁବିଧା ଓ ଔଷଧ ମହଜୁଦ ରଖିବାକୁ, ଯେଉଁ ରୋଗୀମାନେ ଚିକିତ୍ସାଳୟକୁ ଆସିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ରାପିଡ ରେସପନ୍ସ ଟିମ୍ ପଠାଇ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଓ ଅଙ୍ଗନୱାଡିରେ ଥିବା ଜଳ ଉତ୍ସ ଗୁଡ଼ିକୁ ଉପଯୁକ୍ତ ବିଶୁଦ୍ଧିକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ
କରିବାକୁ କହିଥିଲେ । ଜିଲ୍ଲାରେ ରୋଗୀ ସଂଖ୍ୟା କ୍ରମେ କ୍ରମେ କମୁଥିବା ଶୁଭ ଲକ୍ଷଣ । ପାଉଚ ପାଣି ଓ ବଟଲ୍‌ରେ ନର୍ମାଲ ପାଣି ତିଆରି କରୁଥିବା ଫ୍ୟାକ୍ଟ୍ରି ର ମାନ ପରୀକ୍ଷଣ କରାଯାଇ ଅଶୁଦ୍ଧ ଥିଲେ ଏହା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପରିବାରକୁ ୨ଟି ସାବୁନ୍ ଟଏଲେଟ୍ ପାଇଁ ଏବଂ ଖାଇବା ପୂର୍ବରୁ ବ୍ୟବହାର କରିବାକୁ ବଣ୍ଟନ କରାଯାଉଥିବା ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଜୟ ମିଶ୍ର, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍‌ର ଡିନ୍ ତଥା ଅଧ୍ୟକ୍ଷ ଡ଼ଃ ସୀତାରାମ ମହାପାତ୍ର, ଉପ ଜିଲ୍ଲାପାଳ ତାପସ ରଂଜନ ଦେହୁରୀ, ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆଜି ଜିଲ୍ଲାରେ ୧୩୬ ଜଣ ନୂତନ ରୋଗୀ ଆଡମିଟ ହୋଇଥିବାବେଳେ ୧୫ ଜଣଙ୍କୁ ରେଫର କରାଯାଇଛି । ୧୧୦ଜଣଙ୍କୁ ସୁସ୍ଥ ପରେ ଡିସ୍‌ଚାର୍ଜ କରାଯାଇଛି ଓ ୧୫୪ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ।

Leave A Reply

Your email address will not be published.