ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ

Countdown to cabinet reshuffle begins

0 30

ଭୁବନେଶ୍ୱର, : କେବେ ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ସମୟରେ ଏ ନେଇ ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ଆଲୋଚନା କରିଯାଉଛନ୍ତି । ହେଲେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହୋଇପାରୁ ନାହିଁ । ତେବେ ବିଭିନ୍ନ ସମୟରେ ବିଜେପି ସରକାର ଏହାକୁ ନେଇ ସମାଲୋଚିତ ହେବା ପରେ ବର୍ତ୍ତମାନ କୁଆଡେ ସବୁ କିଛି ଚୁଡାନ୍ତ ହୋଇଯାଇଛି ବୋଲି ଜଣାପଡିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକାଠି କଥା ହେବା ପରେ ଏହି ତାଲିକା ଚୁଡାନ୍ତ ହୋଇଥିବ ବୋଲି ଅନୁମାନ କରାଯାଉଛି । ତେଣୁ ଏହାର କେନ୍ଦ୍ରୀୟ ଅନୁମୋଦନ ପାଇଁ ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇଛନ୍ତି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେମାନେ ଦିଲ୍ଲୀରୁ ଫେରିବା ପରେ ଚଳିତ ମାସରେ ଏହି ଅଦଳବଦଳ ହେବ ବୋଲି ଚର୍ଚ୍ଚା ଚାଲିଛି । ସେହିପରି ନିଗମ ଅଧ୍ୟକ୍ଷ ପଦ ମଧ୍ୟ ନିଷ୍ପତ୍ତି ହୋଇସାରିଛି । ଏହି ପଦ ପାଇଁ ମଧ୍ୟ ଦଳ ମଧ୍ୟରେ ଘଣ୍ଟାଚକଟା ଚଲିଛି । କାହାକୁ ରଖିବେ କେଉଁଠି ରଖିବେ ସେ ନେଇ ମଧ୍ୟ କୌଣସି ନିଷ୍ପତ୍ତି ଦଳ କରିପାରୁ ନାହିଁ । ଫଳରେ ନିଗମ ପଦ ନେଇ ମଧ୍ୟ ବିଜେପି ସରକାର ସମାଲୋଚିତ ହେବାରେ ଲାଗିଛି । ତେବେ ଉଭୟ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳସହିତ ନିଗମ ଅଧ୍ୟକ୍ଷ ପଦ ମଧ୍ୟ ଘୋଷଣା ହେବ । ହେଲେ କେଉଁଟି ଆଗ କରିବେ ସେ ନେଇ ମଧ୍ୟ ରାଜ୍ୟ ନେତୃତ୍ୱ ଦ୍ୱନ୍ଦ୍ୱରେ ପଡିଛନ୍ତି । ତେବେ ବିଶେଷ ସୁତ୍ର ଅନୁସାରେ ଆଗେ ମନ୍ତ୍ରୀମଣ୍ଡଳ ଅଳବଦଳ କରିଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାର ମାସକ ପରେ ନିଗମ ଘୋଷଣା କରାଯିବ । ଯଦି ଏଥିରେ କିଛି ପରିବର୍ତ୍ତନ ହୁଏ ତେବେ ନିଗମ ଆଗେ ଘୋଷଣା କରିଦିଆଯାଇପାରେ । ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯିବ ବୋଲି ଜଣାପଡିଛି । ସେହିପରି କେତେକଙ୍କୁ ଏଥିରେ ସ୍ଥାନିତ କରିବା ନିଶ୍ଚିତ । ତେବେ ଏହି ଅଦଳ ବଦଳ କିପରି ହେବ ସେ ନେଇ ଏକ ସୁତ୍ର ବାହାର କରାଯାଇଛି । ସେହି ସୁତ୍ର ଅନୁସାରେ ପ୍ରଥମେ ସମସ୍ତଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇପାରେ । ଇସ୍ତଫା ଗୃହିତ ହେବା ପରେ ନୂଆ ମନ୍ତ୍ରୀ ମଣ୍ଡଳ ତାଲିକ ପ୍ରକାଶ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଚାହୁଥିବା ବିଧାୟକଙ୍କ ସାମିଲ କରାଯିବ । ଯେଉଁଦିନ ମନ୍ତ୍ରୀ ଇସ୍ତଫା ଦେବେ ସେହିଦିନ ତାହା ଗୃହିତ ହେବ ଏବଂ ସେହିଦିନ ନୂଆ ମନ୍ତ୍ରୀ ତାଲିକ ଘୋଷଣା ହେବ ।
ଯଦି ସମ୍ଭବ ସେହି ଦିନ ସଂଧ୍ୟାରେ ଶପଥ ପାଠ କରାଯିବ ବୋଲି ଜଣାପଡିଛି । ଏହି ଖବର ପ୍ରକାଶ ପାଇବା ପରେ ଅନେକ ମନ୍ତ୍ରୀଙ୍କ ଛାତି ଧଡଧଡ ହେବାରେ ଲାଗିଛି ।

Leave A Reply

Your email address will not be published.