ବୌଦ୍ଧ, 14/7: ବୌଦ୍ଧଗଡଜାତ ସହର ମହାନଦୀ କୂଳରେ ଅବସ୍ଥିତ । ବୌଦ୍ଧ ସହରର ଗୋଟିଏ ପାଶ୍ୱର୍ରେ ମହାନଦୀ ବୋହି ଯାଇଥିବା ବେଳେ ଅନ୍ୟପଟେ ରାମଜାଙ୍ଗି ଯୋର ବୋହିଯାଇଛି । ସେହିପରି ସହର ମଧ୍ୟ ଦେଇ ଗୌରୀମୁଣ୍ଡା (ବଡପୁଲିଆ) ନାଳ ବୋହିଯାଇଛି । ବର୍ଷା ଦିନ ଆସିଲେ ସହରବାସୀଙ୍କୁ ନଦୀ, ନାଳ, ଯୋର ଚିନ୍ତା ବଢାଏ । ବର୍ଷା ଦିନେ ମହାନଦୀରେ ବନ୍ୟା ଆସିଲେ କିମ୍ବା ଲଗାଣ ବର୍ଷା ହେଲେ ରାମଜାଙ୍ଗି ଯୋର ଓ ଗୌରୀମୁଣ୍ଡା ନାଳ ପାଣି ନିଷ୍କାସନ ହୋଇ ନ ପାରି ସହର ମଧ୍ୟରେ ବନ୍ୟା ପରିସ୍ଥିତି ଦେକାଦେଇଥାଏ । ରାମଜାଙ୍ଗି ଯୋରଟି ସହରର ବୁଟୁପାଲି ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ପଛ ପାଖରେ ମହାନଦୀରେ ମିଶିଥିବା ବେଳେ ବଡ ପୁଲିଆ ନାଳ ସହରର ପଣୁଆସାହି ଦେଇ ଖଲିଆବଗିଚା ସାହିର ପଛ ପାଖଦେଇ ବାବୁସାହି, ବ୍ରାହ୍ମଣସାହି ଦେଇ ନୂଆଁସାହି ପଛପଟ ଦେଇ ମହାନଦୀରେ ମିଶିଛି । ରାମଜାଙ୍ଗି ଯୋର୍ ଓ ଗୌରୀମୁଣ୍ଡା ନାଳ ଯେଉଁଠାରେ ମହାନଦୀରେ ମିଶିଛନ୍ତି ସେଠାରେ ଦୁଇଟି ସ୍ଲୁଇସ ଗେଟ ଲାଗିଛି । ଯାହାକି ବନ୍ୟା ପାଣିକୁ ନିୟନ୍ତ୍ରଣ କରିବା ପାଇଁ । ହେଲେ ବିଭିନ୍ନ ସମୟରେ ଉଭୟ ସ୍ଲୁଇସ ଗେଟର ପରିଚାଳନାରେ ତ୍ରୁଟି ଯୋଗୁଁ ବୌଦ୍ଧ ସହର ମଧ୍ୟରେ କତୃିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏବଂ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଠିକ ସମୟରେ ସ୍ଲୁଇସ ଗେଟ ଗୁଡିକୁ ଖୋଲା ନ ଯିବା ଫଳରେ ବନ୍ୟାପାଣିରେ ଚୀର ଭାଙ୍ଗି ଘାଇ ସୃଷ୍ଟି କରିଥାଏ । ମହାନଦୀରେ ବନ୍ୟାପାଣି ଆସିଲେ ମହାନଦୀ ଫୁଲିଉଠି ଥାଏ । ନଦୀର ଜଳସ୍ତର ଅଧିକ ରହିଥିବାରୁ ଏହି ନାଳ ଓ ଯୋର୍ ଦେଇ ପଛୁଆ ପାଣି ସହର ମଧ୍ୟକୁ ପ୍ରବେଶ କରିଥାଏ । ଠିକ ସେହିପରି ଲଗାଣ ବର୍ଷା ହେଲେ ନଦୀରେ ଜଳସ୍ତର ଅଧିକ ଥିବା ଯୋଗୁଁ ସ୍ଲୁଇସ ଗେଟ ଦେଇ ବର୍ଷା ପାଣି ନିଷ୍କାସନ ହୋଇନ ପାରି ତଳିଆ ଅଂଚଳକୁ ପ୍ରବେଶ କରିଥାଏ । ମହାନଦୀ ଫୁଲିଥିଲେ ରାମଜାଙ୍ଗି ଯୋର୍ରେ ମହାନଦୀର ପଛୁଆ ପାଣି ଆସି କେନ୍ଦ୍ରୀୟ ବିଦ୍ୟାଳୟ, କିମ୍ବା ବର୍ଷା ପାଣି ଦ୍ୱାର କେନ୍ଦ୍ରୀୟ ବିଦ୍ୟାଳୟ, କର୍ମଜିବୀ ମହିଳା ନିବାସ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ରାଜସ୍ୱକଲୋନୀ, ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟାପାଣି ପ୍ରବେଶ କରିଥାଏ ଏବଂ ଜଗନ୍ନାଥ ସଡକରେ ଯୋଗାଯୋଗ ବିଛିନ୍ନ ହୋଇଥାଏ । ସେହିପରି ରାମଜାଙ୍ଗି ଯୋର ଠାରୁ ଜିଲ୍ଲା ଷ୍ଟାଡିୟମ ହାତୀଶାଳ ରାସ୍ତା କଡ ପର୍ଯ୍ୟନ୍ତ ଥିବା ବସ୍ତି ମଧ୍ୟରେ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଚାଷ ଜମି ଗୁଡିକ ଜଳମଗ୍ନ ହୋଇ ନଦୀର ଭଲି ଦେଖାଯାଇଥାଏ । ସେହିପରି କାଲେଶ୍ୱର, ସାନବାଗବର ଗ୍ରାମକୁ ଓ ଚାଷ ଜମି ଗୁଡିକୁ ବନ୍ୟା ପାଣି ପ୍ରବେଶ କରିଥାଏ । ଯାହାଫଳରେ ଅନେକ ଚାଷ ଜମିରେ ବାଲିଚର ହୋଇଯାଉଥିବା ବେଳେ ବଢି ପାଣି ବହୁ ଚାଷ ଜମିରେ ପଶି ଚାଷସବୁ ନଷ୍ଟ କରିଦେଇଥାଏ । ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ନଦୀନାଳ ପୁରି ଉଠିଥିବା ବେଳେ ସ୍ଲୁଇସଗେଟ ଉଠିନ ପାରିବା ଫଳରେ ଗେଟ ନିକଟରେ ପ୍ରାୟ ୩୦ ଫୁଟର ଏକ ଘାଇ ସୃଷ୍ଟି ହୋଇଥିଲା । ସେହିପରି ବଡପୁଲିଆ ନାଳ ସହର ମଧ୍ୟରେ ଥିବାରୁ ଏହି ନାଳ ଦ୍ୱାରା ସହରର ବର୍ଜ୍ୟଜଳ ଓ ବର୍ଷାଜଳ ମହାନଦୀକୁ ନିଷ୍କାସନ ହୋଇଥାଏ । ମହାନଦୀରେ ବଢି ପାଣି ପ୍ରବାହିତ ହେଉଥିଲେ ବର୍ଷା ଦିନେ ଏହି ନାଳ ଦେଇ ମହାନଦୀକୁ ନିଷ୍କାସନ ହୋଇପାରେ ନାହିଁ । ଫଳରେ ବର୍ଷାଜଳ ଓ ତୁଡାମାରି ବନ୍ୟାପାଣି ଏହି ବାଟଦେଇ ସହର ମଧ୍ୟକୁ ପ୍ରବେଶ କରିଥାଏ । ଏହି ନାଳରେ ମିଶୁଥିବା ଥିବା ଛୋଟ ଛୋଟ ନାଳ ମାଧ୍ୟମରେ ବସ୍ତି ମଧ୍ୟକୁ ପ୍ରବେଶ କରିଥାଏ । ଯାହାଫଳରେ ପଣୁଆସାହି, ଖଲିଆବଗିଚା ରାଜନପାଲି ମଧ୍ୟରେ ଗଢି ଉଠିଥିବା ବସ୍ତି ମଧ୍ୟକୁ ପାଣି ପ୍ରବେଶ କରିଥାଏ ଏବଂ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଥାଏ । ଏଭଳିସ୍ଥିତିରେ ସହରକୁ କିପରି ବନ୍ୟା ଦାଉରୁ ରକ୍ଷା କରାଯିବ ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ।