ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

0 72

ପୁରୀ, : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ । ନବଦିନ ଯାତ୍ରା ଶେଷ କରି ରତ୍ନବେଦୀକୁ ବିଜେ କରିଛନ୍ତି ଦରୁବିଗ୍ରହ । ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗପରେ ମଙ୍ଗଳବାର ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ହେଇଥିଲେ । ଦାରୁ ବିଗ୍ରହଙ୍କ ପହାଣ୍ଡି ସମୟରେ ଘଣ୍ଟ ଘଣ୍ଟା କାହାଳୀର ନିନାଦ ସାଙ୍ଗକୁ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ସୃଷ୍ଟି କରିଥିଲା ଭାବ ଉଦ୍ଦୀପକ ପରିବେଶ । ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ସମ୍ମୁଖ ଅଞ୍ଚଳ । ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ସୁନାବେଶ, ଦ୍ୱାଦଶୀରେ ଅଧରପଣାନୀତି ପରେ ମଙ୍ଗଳବାର ତ୍ରୟୋଦଶୀ ତିଥିରେ ସମ୍ପନ୍ନ ହୋଇଥାଲା ନୀଳାଦ୍ରିବିଜେ ନୀତି । ସୋମବାର ରାତି ୨ଟା ୫୫ରେ ରଥାରୁଢ଼ ଶ୍ରୀଜିଉମାନଙ୍କର ରାତି ପହୁଡ଼ ହୋଇଥିଲା । ସକାକୁ ରଥ ଉପରେ ଅନୁଷ୍ଠିତ ହୋଇଥିଲା ଠାକୁରମାଙ୍କର ବିଭିନ୍ନ ନୀତିକାନ୍ତି । ମଙ୍ଗଳବାର ସକାଳ ୭ଟା ୧୫ରେ ତିନି ରଥରେ ହୋଇଥିଲା ଶ୍ରୀଜିଉମାନଙ୍କ ମଙ୍ଗଳ ଆଳତି । ତିନି ରଥରେ ଶ୍ରୀଜିଉଙ୍କ ମଇଲମ, ତଡ଼ପ ଲାଗି, ଅବକାଶ ପରେ ୧୦ଟା ୧୫ସୁଦ୍ଧା ଗୋପାଳବଲ୍ଲଭ, ୧୨ଟା ସୁଦ୍ଧା ସକାଳଧୂପ ଶେଷ ହୋଇଥିଲା । ଅନ୍ୟନୀତି ପରେ ଦିନ ଗୋଟାଏ ୪୫ ସୁଦ୍ଧା ଶେଷ ହୋଇଥିଲା ଶ୍ରୀଜିଉମାନଙ୍କ ମଧ୍ୟାହ୍ନ ଧୂପ । ଦିନ ୨ଟା ୪୦ରେ ଶେଷ ହୋଇଥିଲା ସନ୍ଧ୍ୟା ଆଳତି । ଅପରାହ୍ନ ସାଢେ ୪ଟା ସୁଦ୍ଧା ସନ୍ଧ୍ୟା ଧୂପ ଶେଷ ହେବା ପରେ ୩ଟା ୪୫ରେ ଆରମ୍ଭ ହୋଇଥିଲା ରଥରେ ଚାରମାଳ ବନ୍ଧା । ସନ୍ଧ୍ୟା ସାଢ଼େ ୬ଟାରେ ଚାରମାଳବନ୍ଧା ଶେଷ ହୋଇଥିଲା । ସିଂହାସନ ମାଜଣା, ପୁଷ୍ପାଞ୍ଜଳି ପରେ ବନ୍ଦାପନା ଓ ଡୋର ଲାଗି ନୀତି ସମ୍ପନ୍ନ ହୋଇଥିଲା । ବିଜେ କାହାଳୀ ବାଜିବା ପରେ ସନ୍ଧ୍ୟା ୭ଟା ୧୫ରେ ଆରମ୍ଭ ହୋଇଥିଲା ବିଜେ ପହଣ୍ଡି । ଘଣ୍ଟ ଘଣ୍ଟା କାହାଳୀର ନିନାଦ ସାଙ୍ଗକୁ ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ପ୍ରଥମେ ପୁଷ୍ପାଳକ ମହାଜନମାନେ ମଦନମୋହନ ଓ ରାମକୃଷ୍ଣ ଦକ୍ଷିଣୀ ଘରକୁ ବିଜେ କରାଇଥିଲେ । ପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ପହଣ୍ଡି ବିଜେ ହୋଇ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆର ଦୋଳନ ମଧ୍ୟରେ ପହଣ୍ଡି ବିଜେ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବାବେଳକୁ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ ମହାଲକ୍ଷ୍ମୀ ରଥଯାତ୍ରାରେ ସାଙ୍ଗରେ ନନେଇ ଯାଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବିରୋଧ କରିଥିଲେ ମହାଲକ୍ଷ୍ମୀ । ଏଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥିଲା । କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଲାଗି ମହାପ୍ରଭୁ ସାଙ୍ଗରେ ଆଣିଥିବା ରସଗୋଲାଦେଇ ମାନ ଭଞ୍ଜନ କରିଥିଲେ । ରସଗୋଲାଦେଇ ମାନଭଞ୍ଜନ କରିବା ପରେ ସିଂହଦ୍ୱାର କବାଟ ଖୋଲିଥିଲା । ନୀଳାଦ୍ରି ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖି ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ନିଜକୁ କୁତାର୍ଥ ମନେ କରିଥିଲେ । ବହୁ ଶ୍ରଦ୍ଧାଳୁ ମଙ୍ଗଳବାର ରଥାରୁଢ଼ ଶ୍ରୀଜିଉମାନଙ୍କୁ ରସଗୋଲା ଭୋଗ କରୁଥିବା ଦେଖାଯାଇଥିଲା । ନୀଳାଦ୍ରି ବିଜେ ସମୟରେ ଦର୍ଶନାର୍ଥିଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.