ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାରଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ବୁଧବାର ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ
କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡିହୋଇଥିଲେ । ର୍ଯ୍ୟକ୍ରମରେ ଆୟୋଜିତ ହେଲଥ୍ ସ୍କ୍ରିନିଂ ଷ୍ଟଲ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ଶୁଭଙ୍କର ଦିନ । ଗତ ବର୍ଷ ଏହି ଦିବସରେ ମୋଦିଜୀ ଓଡିଶାର ମା’ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ଆଉ ଆଜି ସାରା ଦେଶର ମା’ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ôଥକ ସଶକ୍ତୀକରଣ ପର୍ଯ୍ୟନ୍ତ ନାରୀ ଜୀବନର ପ୍ରତ୍ୟେକ ଫେଜ୍ରେ ମୋଦିଜୀଙ୍କ ଯୋଜନା ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଉଜ୍ଜ୍ୱଳା ଯୋଜନା, କିଶୋରୀ ଶକ୍ତି ଯୋଜନା, ନୟୀ ରୋସ୍ନୀ ଯୋଜନା, ବେଟି ବଚାଓ ବେଟି ପଢାଓ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ପରି ଅନେକ ଯୋଜନା ମହିଳାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି । ସେ ପୁଣି କହିଥିଲେ, ଏହି ଅଭିଯାନରେ ମହିଳା ସ୍ୱାସ୍ଥ୍ୟ, ପୋଷଣ, ଉପଯୁକ୍ତ ଖାଦ୍ୟ ପାନୀୟ ସମ୍ପର୍କରେ ସଚେତନତା କ୍ୟାମ୍ପେନ କରାଯିବ । ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ କରାଯିବ । ଏହି ଅଭିଯାନ ମାଧ୍ୟମରେ ଉଚ୍ଚରକ୍ତ ଚାପ, ମଧୁମେହ, କର୍କଟ, ରକ୍ତ ହୀନତା, ଯକ୍ଷ୍ମା, ସିକିଲ୍ସେଲ୍ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗ ଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯିବ ଏବଂ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ । ରାଜ୍ୟର ୩୦ଟି ଜିଲ୍ଲାରୁ ୧.୫ କୋଟି ମା ଓ ଭଉଣୀ ଏହି ଅଭିଯାନ ଜରିଆରେ ଉପକୃତ ହେବେ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଛି । ଏହି ଅଭିଯାନରେ ଆଜି ଦିନ ୧.୩୦ ସୁଦ୍ଧା ରାଜ୍ୟରେ ୭୦ ହଜାରରୁ ଊର୍ଦ୍ଧ୍ୱ ମା ଓ ଭଉଣୀମାନଙ୍କ ବିଭିନ୍ନ ଶିବିରରେ ସ୍କ୍ରିନିଂ କରାଯାଇ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହି ଯୋଜନା ଦ୍ୱାରା ନାରୀ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରର ସୂଚକାଙ୍କ ଗୁଡିକରେ ଆହୁରି ଉନ୍ନତି ଆସିବ ଏବଂ ସାରା ଦେଶରେ ସୁସ୍ଥ ସମାଜ ଗଠନ ଦିଗରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।
‘ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନରେ ରାଜ୍ୟର ଦେଢ଼ କୋଟି ମହିଳା ଉପକୃତ ହେବେ’
'One and a half crore women of the state will benefit from the Healthy Women-Strong Families Campaign'
Next Post