କଟକ, : ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜଳିଯିବା ଘଟଣାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟରେ ମଙ୍ଗଳବାର ଆଡ଼ଭୋକେଟ ଜେନେରାଲ ପକ୍ଷ ରଖିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବେଜେଡି ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏଥିରେ ଉଭୟ ଦଳକୁ ନୋଟିସ କରିଛନ୍ତି । ମାନବାଧିକାର କର୍ମୀ ତଥା ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପିଟିସନରେ ଦର୍ଶାଇଥିଲେ ଯେ, ଏଫ୍ଏମ୍ କଲେଜର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ସେହି କଲେଜର ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ସେ ବିଭିନ୍ନ ଫୋରମରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସବୁଠୁ ନିରାଶ ହେବା ପରେ ଗତ ୧୪ତାରିଖ ଚରମ ପଦକ୍ଷେପ ନେଇଥିଲେ । ନିଜ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ୨୪ଘଣ୍ଟା ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହି ଘଟଣା ଯେପରି ଭବିଷ୍ୟତରେ ପୁନରାବୃତ୍ତି ନ ଘଟେ ସେଥିପାଇଁ ଅଦାଲତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହାର ତଦନ୍ତର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ଅଦାଲତ କିଛି ନିରପେକ୍ଷ ଅଧିକାରୀଙ୍କୁ ନେଇ ଏକ ଏସ୍ଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କହିଛନ୍ତି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ତଦନ୍ତ ଶେଷ ପାଇଁ ଅଦାଲତ ସମୟ ଧର୍ଯ୍ୟ କରନ୍ତୁ । ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା, ମହାବିଦ୍ୟାଳୟ ପ୍ରଶାସନର ଭୂମିକା, ୟୁଜିସି ଗାଇଡଲାଇନ୍ କର୍ଯ୍ୟକାରୀ ହେଉଛି କି ନାହିଁ ଏ ସବୁ ଦିଗକୁ ନେଇ ତଦନ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲାବେଳେ ପୋଲିସ୍ ଡିଜି ଏହି ତଦନ୍ତର ସ୍ଥିତି କ\’ଣ ରହିଛି ସେ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ଆବେଦନକାରୀ କହିଛନ୍ତି । ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଥିଲା । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ରେକର୍ଡ ଦାଖଲ କରିବାକୁ ପ୍ରାର୍ଥନା କରାଯାଇଛି । ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ୟୁଜିସି ଗାଇଡଲାଇନ ଆଧାରରେ ଇଣ୍ଟରନାଲ୍ କମ୍ପେଣ୍ଟ କମିଟି (ଆଇସିସି) ଗଠନ ବାଧ୍ୟତାମୂଳକ କରିବା ଲାଗି ଅଦାଲତ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।