ଭୁବନେଶ୍ୱର, : ସ୍ୱଚ୍ଛତା ହି ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଉଦ୍ବୋଧନ ଦେଇ କହିଥିଲେ ଯେ, ଆଜିର ଦିନଟି ସାଧାରଣ ଦିନ ନୁହେଁ, ଏହା ଆମ ଦେଶର ମହାନ ଚିନ୍ତକ, ରାଷ୍ଟ୍ରଭକ୍ତ ଓ ଆଦର୍ଶବାଦୀ ନେତାଙ୍କୁ ସ୍ମରଣ କରି ତାଙ୍କ ମୂଲ୍ୟବୋଧ ଓ ନୀତିକୁ ଆଗାମୀ ପିଢି ସାମ୍୍ନାରେ ଉପସ୍ଥାପିତ କରିବାର ଅବସର ଅଟେ । ସେ କହିଥିଲେ ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର
ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ସେ ବିଶ୍ୱାସ କରୁଥିଲେ ଏକାତ୍ମ ମାନବବାଦରେ । ତାଙ୍କର ଚିନ୍ତାଧାରା ଥିଲା ଅନ୍ତ୍ୟୋଦୟ ଅର୍ଥାତ ସମାଜର ସବୁଠୁ ଶେଷ ସୀମାରେ ଥିବା ମଣିଷ ପର୍ଯ୍ୟନ୍ତ ଉନ୍ନତିର ଆଲୋକ ପହଞ୍ଚିବା ଆବଶ୍ୟକ । ଦୀନଦୟାଲଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଶରେ ଏକ୍ଟକ୍ଟୟ ଏକ୍ଟଙ୍ଖରକ୍ସଦ୍ଭବଦ୍ଭମର ପ୍ରତିଷ୍ଠା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନା ସମାଜର ଶେଷ ପାହଚରେ ଥିବା ଗରିବ ଓ ନିଃସହାୟଙ୍କ ପ୍ରତି ଉତ୍ସର୍ଗିକୃତ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଦୀନଦୟାଲଙ୍କ ଏହି ମହାନ ଚିନ୍ତାଧାରା ଅନ୍ତ୍ୟୋଦୟ ଆଧାରରେ ଆମେ ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ପାଇଁ କାର୍ଯ୍ୟରତ ଅଛୁ । ସେ ପୁଣି କହିଥିଲେ ଗୁରୁବାର ‘ଏକ ଦିନ, ଏକ ଘଣ୍ଟା, ଏକା ସାଥିରେ’ ଆମେ ଏଠାରେ ଏକତ୍ରିତ ହୋଇଛୁ । ଏହା ଆମ ପାଇଁ ସଂକଳ୍ପର ଅବସର । ଓଡିଶାକୁ ସମୃଦ୍ଧ ଓଡିଶା ଓ ନୂଆ ଓଡିଶାରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କୁ ଆଜି ସଂକଳ୍ପ ନେବାକୁ ପଡିବ । ସ୍ୱଚ୍ଛତା କ୍ଷେତ୍ରରେ ସମସ୍ତଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି । ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟକରିବାକୁ ପଡିବ । ସେ ପୁଣି କହିଥିଲେ ଆଗାମୀ ଦିନରେ ଅବର୍ଜନାରୁ କୋଇଲା ଏବଂ କୋଇଲାରୁ ଶକ୍ତି ଉତ୍ପାଦନ କରିବା ପାଇଁ ଆମର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଉତ୍ସାହ, ଆଗ୍ରହ ଓ ସହଯୋଗ ବଳରେ ‘ଏକ୍ ପେଡ୍ ମା କେ ନାମ୍ ୨.୦’ ଅଭିଯାନରେ ଆମେ ଧାର୍ଯ୍ୟ ଲକ୍ଷ୍ୟର ନିକଟବର୍ତ୍ତୀ ହୋଇସାରିଲୁଣି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାରତବର୍ଷରେ ଓଡିଶାର ସ୍ୱତନ୍ତ୍ରତା ରହିଛି । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, କର୍ପୋରେଟର ବୃନ୍ଦ, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ ।