ଭୁବନେଶ୍ୱର, : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୨୦୨୧ ବ୍ୟାଚ୍ ଆଇଏଏସ ଅଫିସର ଧୀମନ ଚକମା । ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚକମା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ସରକାରୀ ବାସଭବନରେ ଜଣେ ବ୍ୟବସାୟୀଙ୍କଠୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଆଇଏଏସ ଚକମା । ପରେ ମୁଖ୍ୟମନ୍ତ୍ରୀ ଧୀମାନ ଚକମାଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି । ୨୦୨୪ ଜାନୁଆରୀରୁ ସେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ମାମଲାରେ ଭିଜିଲାନ୍ସ ଚକମାଙ୍କ ଲିଙ୍କରେ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଛାନଭିନ୍ କରିଥିଲା । ତ୍ରିପୁରାରେ ଚକମାଙ୍କ ବାସଭବନରେ ଭିଜିଲାନ୍ସର ୩ ଜଣିଆ ଟିମ୍ ଖୋଳତାଡ଼ କରିଥିଲା । ଏହା ସହିତ ହିମାଚଳ ପ୍ରଦେଶରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ତଲାସୀ କରିଥିଲା ଭିଜିଲାନ୍ସ । ତାଙ୍କ ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲ ସଂଗ୍ରହ ଏବଂ ଯାଞ୍ଚ ମଧ୍ୟ କରିଥିଲା ଟିମ୍ । ବର୍ତ୍ତମାନ ଧୀମନ ଚକମାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।