ହୀରାକୁଦ ଜଳଭଣ୍ଡାରରୁ ୨୪ ସ୍ଲୁଇସ୍‌ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

Flood water discharged from Hirakud reservoir through 24 sluice gates

0 34

ସମ୍ବଲପୁର, : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍ ଖୋଲାଯାଇ ମୋଟ ୨୪ଟି ସ୍ଲୁଇସ୍ ଗେଟରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ ୧୦ଟି ସ୍ଲୁଇସ ଗେଟ୍ ଖୋଲାଯାଇ ମୋଟ୍ ୧୬ଟି ସ୍ଲୁଇସ୍ ଗେଟରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା । ମାତ୍ର ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟି ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଲୁଇସ୍ ଗେଟ୍ ଖୋଲି ମୋଟ୍ ୨୦ଟି ସ୍ଲୁଇସ୍‌ ଗେଟରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ପରବର୍ତ୍ତୀ କାଳରେ ଶୁକ୍ରବାର ଅପରାହ୍ନରେ ପୁଣିଥରେ ଦ୍ୱିତୀୟ ପର୍ଯ୍ୟାୟରେ ଜଳଭଣ୍ଡାରର ଆହୁରି ୪ଟି ସ୍ଲୁଇସ୍ ଗେଟ୍ ଖୋଲିଯାଇଥିଲା । ଫଳରେ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ୨୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ଶୁକ୍ରବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ମିଳିଥିବା ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳପତ୍ତନ ୬୨୬.୬୨ ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୩ ଲକ୍ଷ ୬୯ ହଜାର ୨୫୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ହାରହାରି ୩ ଲକ୍ଷ ୫୩ ହାଜର ୯୦୧ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ସେଥିମଧ୍ୟରେ ୨୯ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୩ ଲକ୍ଷ ୨୩ ହାଜର ୬୬୦ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୨୫,୯୯୩ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୧୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୩୨୩, ଶାସନ କେନାଲରେ ୬୩୦ ଓ ସମ୍ବଲପୁର କେନାଲରେ ୮୧ ଘନଫୁଟ ଜଳ ମିଶି ମୋଟ୍ ୪୦୩୪ ଘନଫୁଟ ଫୁଟ ଜଳ ନିଷ୍କାସନ କରାଯାଉଛି । ଏସମ୍ପର୍କରେ ବୁର୍ଲାସ୍ଥିତ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ତଥା ମହାନଦୀ ଅବବାହିକା ପ୍ରବନ୍ଧକ ଇଂ. ସୁଶୀଲ ବେହେରା କହିଛନ୍ତି ଯେ, ମହାନଦୀ ତଳମୁଣ୍ଡରେ ବନ୍ୟା ଜନିତ କୌଣସି ବିପଦର ଆଶଙ୍କା ନାହିଁ । ବର୍ତ୍ତମାନ ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୬୧୯ ଫୁଟ ଓ ସର୍ବାଧିକ ୬୨୭ ଫୁଟ ରହିବା କଥା । ସେହି ଅନୁଯାୟୀ, ସେପ୍ଟେମ୍ବର ୧୧ରେ ୬୨୯ ଫୁଟ ମଧ୍ୟରେ ଏବଂ ସେପ୍ଟେମ୍ବର ୨୧ର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ ୬୩୦ ଫୁଟ୍ ବଜାୟ ରଖିବାକୁ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.