ମାଲକାନଗିରି/ବିଜାପୁର, : ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ପୂଜାରୀ କାଙ୍କେରସ୍ଥିତ ଜଙ୍ଗଲରେ ଗୁରୁବାର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସାଙ୍ଘାତିକ ମୁହାଁମୁହିଁ ସଂଘର୍ଷ ହୋଇଛି । ସୁରକ୍ଷା କର୍ମୀଙ୍କ ନିର୍ଘାତ ଗୁଳିମାଡ଼ରେ ୧୨ ନୁହେଁ ୧୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାର କରାଯାଇଛି । ସୂଚନା ମୁତାବକ, ଗୁରୁବାର ସକାଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ
ମୁହାଁମୁହିଁ ହୋଇଥିଲେ । କୁମ୍ବିଂ ଅପରେସନରେ ବିଜାପୁର, ଡିଆରଜି ସୁକମା, ଡିଆରଜି ଦନ୍ତେୱାଡ଼ା, କୋବ୍ରାର ପୃଥକ ପୃଥକ ବାଟାଲିୟନ ଏବଂ ସିଆରପିଏଫର ପ୍ରାୟ ୧୨୦୦ରୁ ୧୫୦୦ ଯବାନ ସାମିଲ ହୋଇଥିଲେ । ଦକ୍ଷିଣ ବିଜାପୁରରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ମଝିରେ ରହି ରହି ଏହା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଥିଲା । ଏହି ଏନକାଉଣ୍ଟରରେ ୧୨ଜଣ ମାଓବାଦୀ ନିହତ ହୋଇଥିବା କହିଥିଲା
ଛତିଶଗଡ଼ ପୋଲିସ । ହେଲେ ଏନକାଉଣ୍ଟରରେ ଆସିଲା ବଡ଼ ଖବର । ୧୨ ନୁହେଁ ୧୮ ଜଣ ମାଓବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି । ତାହା ପୁଣି ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ, ବାକି ୬ ଜଣଙ୍କ ମୃତଦେହକୁ ଏନକାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୨ରେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ ସନ୍ଦିଗ୍ଧ ମାଓବାଦୀ ନିପାତ ହୋଇଥିଲେ । ଜାନୁଆରୀ ୯ରେ ସୁକମା ଜିଲ୍ଲାର ଆଉ ଏକ ଅପରେସନରେ ୩ ମାଓବାଦୀ ପ୍ରାଣ ହରାଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର ଅନ୍ତ ଘଟିବା ନେଇ ଜାନୁଆରୀ ୬ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ସରକାରଙ୍କ ନିଷ୍ପତ୍ତି ସ୍ୱରୂପ ସେବେଠାରୁ ମାଓ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ।