ଭୁବନେଶ୍ୱରରେ ଉଦଘାଟିତ ହେଲା ପୁଷ୍ପ ପ୍ରଦର୍ଶନ

0 72

ଭୁବନେଶ୍ୱର, : ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ୱର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ଜାନୁୟାରୀ ୭ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର,ଏକାମ୍ର
କାନନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଷ୍ପ ଚେତନା ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । କଳଙ୍କ ବିହୀନ ସ୍ୱଚ୍ଛ ହୃଦୟ ଏବଂ ଶାନ୍ତି ଓ ବିଶ୍ୱାସର ପ୍ରତୀକ ହେଉଛି ଫୁଲ । ଈଶ୍ୱରଙ୍କ ସବୁଠୁ କୋମଳ ଏବଂ ପବିତ୍ର ସର୍ଜନା ରୂପେ ଏହା ସୃଷ୍ଟିର ଅୟମାରମ୍ଭରୁ ଏଯାବତ ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣରେ ନିଜର ଆକର୍ଷଣ ଏବଂ ଗୁରୁତ୍ୱ ବଜାୟ ରଖିଛି । ଆଜିର ପ୍ରଦର୍ଶନୀର ସାଜସଜା ଓ ସୁନ୍ଦର ପରିବେଶ ଅତ୍ୟନ୍ତ ମନମୁଗ୍ଧକର । ଆଜି ଏଠାରେ ନୂତନ ଗେଟ ପରିସର, ବହୁ ରଙ୍ଗୀ ଉଦ୍ୟାନ ଓ କ୍ୟାକଟସ ହାଉସର ଶୁଭ ଉଦଘାଟନ ହୋଇଛି । ଏହି ପୁଷ୍ପ ପ୍ରଦର୍ଶନୀରେ ରାଜ୍ୟର ବିଭିନ ପ୍ରାନ୍ତରୁ ସତୁରୀରୁ ଉର୍ଦ୍ଧ୍ୱ ପ୍ରତିଷ୍ଠାନ ଯୋଗଦାନ କରିଛନ୍ତି । ଏହା ବ୍ୟତୀତ କଟ ଫ୍ଲାୱାର, ବନସାଇ ଓ ବିଭିନ୍ନ ପ୍ରକାରର ଅର୍ଚିଡ ମଧ୍ୟ ପ୍ରଦର୍ଶିତ ହୋଇଛି । ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ, ଛଉ, ସମ୍ବଲପୁରୀ ଓ ପାଇକ ନୃତ୍ୟର ଆକର୍ଷଣୀୟ ଆୟୋଜନ କରାଯାଇଛି । ଏହି ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ଉତ୍ତମ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ବୃକ୍ଷପ୍ରେମୀମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ପ୍ରକୃତିର ଏହି ଅନୁପମ ବରଦାନ ପ୍ରତି ଆମ ଶ୍ରଦ୍ଧା,ଆସ୍ଥାଓ ସୌନ୍ଦର୍ଯ୍ୟପ୍ରବଣତାର ବିକାଶ କରିବା ସହ ପ୍ରକୃତିକୁ ପ୍ରାଣଭରି ଭଲପାଇବାର ବିଶ୍ୱାସକୁ ଆହୁରି ମଜବୁତ କରୁ ବୋଲି କାମନା କରିଥିଲେ ।

Leave A Reply

Your email address will not be published.