କରୋନା କଷୁଛି ମୃତ୍ୟୁର ଅଙ୍କ

66

ମୃତ୍ୟୁର ବିଭୀଷିକା
♦ ମହାରାଷ୍ଟ୍ର-୯୮୫
♦ ଦିଲ୍ଲୀ-୩୬୮
♦ କର୍ଣ୍ଣାଟକ-୨୨୯
♦ ୟୁପି-୨୬୫
♦ ଛତିଶଗଡ଼-୨୭୯
♦ ଓଡ଼ିଶା-୧୨

ନୂଆଦିଲ୍ଲୀ : ମୃତ୍ୟୁର ବିଭୀଷିକା । ପୋକମାଛି ପରି ଜୀବନ ନେଉଛି କରୋନା ମହାମାରୀ । କଞ୍ଚା-ପାଚିଲା ବାଛବିଚାର ନାହିଁ । ଯାହାକୁ ପାଉଛି ଗୋଟେଇ ନେଉଛି କରୋନା । ୨୪ଘଣ୍ଟାରେ ଯାଇଛି ୩୬୪୫ ଜୀବନ । ଏହା ହେଉଛି ଦେଶରେ ସର୍ବାଧିକ ଦୈନିକ କୋଭିଡ୍ ମୃତ୍ୟୁ । ପୂର୍ବରୁ ୨୪ ଘଣ୍ଟା ତୁଳନାରେ ଅଧିକ ୪୦୦ ଜୀବନ ନେଇଛି ଭାଇରସ୍ । ଶ୍ମଶାନରୁ ଲିଭୁନି ଯୁଇ । ଦେଶର ବିଭିନ୍ନ ରାଜ୍ୟର ଶ୍ମଶାନ ଘାଟର ଦୃଶ୍ୟ ଦେଖିଲେ ମନ ଆନ୍ଦୋଳିତ ହୋଇଉଠୁଛି ।

ମହାରାଷ୍ଟ୍ରରେ ସର୍ବାଧିକ ୯୮୫ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ପଛକୁ ରହିଛି ରାଜଧାନୀ ଦିଲ୍ଲୀ । ୨୪ଘଣ୍ଟାରେ ଦିଲ୍ଲୀରେ ୩୬୮ଜଣ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ମୃତ୍ୟୁର ତାଣ୍ଡବ । ୨୪ଘଣ୍ଟାରେ କର୍ଣ୍ଣାଟକରେ ୨୨୯ ଜୀବନ ଯାଇଛି । ଉତ୍ତରପ୍ରଦେଶ ୨୬୫,ଶଗଡ଼ରେ ୨୭୯ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମଣ ଗ୍ରାଫ୍ ମଧ୍ୟ ଉପରମୁହାଁ । ୪ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସବୁଠୁ ଲମ୍ବା ଲମ୍ଫ ମାରିଛି ଭାଇରସ୍ । ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୭୯,୨୫୭ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୩,୬୪୫ ମୃତ୍ୟୁ ରେକର୍ଡ ହୋଇଛି ।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୮୩,୭୬,୫୨୪ ଓ ମୃତ୍ୟୁସଂଖ୍ୟା ୨, ୦୪,୮୩୨ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨,୬୯,୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୧,୫୦,୮୬,୮୭୮ରେ ପହଞ୍ଚିଛି । ଏହା ବ୍ୟତିରେକ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦,୮୪,୮୧୪ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୫,୦୦,୨୦,୬୪୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ଆଇସିଏମ୍ଆର୍ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୮ ତାରିଖ ସୁଦ୍ଧା ସମୁଦାୟ ୨୮,୪୪,୭୧,୯୭୯ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୭,୬୮,୧୯୦ଟି ନମୁନା । ମୃତ୍ୟୁର ବିଭୀଷିକାରେ ଶ୍ମଶାନ ବି ଅଣନିଃଶ୍ୱାସୀ । ଲିଭୁନି ଯୁଇ, ଅଭାବ ପଡ଼ିଲାଣି କାଠ । ଦାହ ପାଇଁ ଜାଗା ନାହିଁ । ଶ୍ମଶାନର ପରିସୀମା ବଢ଼ୁଛି । ତିଆରି ହେଉଛି ନୂଆ ଶ୍ମଶାନ । ସାରାଦେଶରେ ଭୟର ବାତାବରଣ । ମୃତ୍ୟୁର ଭୟ ଭିତରକୁ ଠେଲି ଦେଇଛି କରୋନା ।

Comments are closed.