ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ ପ୍ରଶଂସା

49

ଭୁବନେଶ୍ୱର : ବିଦେଶୀ କମ୍ପାନୀଠୁ ଟିକା କିଣିବ ଓଡ଼ିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ଏ ନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ଔଷଧ ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଆହ୍ୱାନକୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି । ସେ କହିଛନ୍ତି,୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାର ଏହା କରିବାର ଥିଲା । କିନ୍ତୁ ଏଭଳି ନକରି ବିଦେଶକୁ ଟିକା ରପ୍ତାନି କଲେ କେନ୍ଦ୍ର ସରକାର । ଯେଉଁଥିପାଇଁ ଟିକା ସମସ୍ୟା ଦେଖାଦେଉଛି । କିନ୍ତୁ ସ୍ୱଳ୍ପ ସମ୍ବଳ ସତ୍ତେ୍ୱ ଓଡ଼ିଶା ରାଜ୍ୟ ଦେଖାଇଛି ବାଟ । ସମସ୍ତଙ୍କୁ ଟିକା ଦେବା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଷେକ ମନୁ ସିଙ୍ଗଭି । ଟିକା ଯେପରି ଓଡ଼ିଶାର ଲୋକ ସୁବିଧାରେ ପାଇ ପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ।

ଏଣିକି ଓଡ଼ିଶା ସରକାର ବିଦେଶୀ କମ୍ପାନୀଙ୍କ ଠାରୁ ଟିକା କିଣିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଲାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କ୍ୟାବିନେଟ ବୈଠକରେ କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା କରାଯାଇ ସଂକଳ୍ପ ଗୃହୀତ ହୋଇଛି । ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରାଯିବ । ଶୀଘ୍ର ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ସେଥିପାଇଁ ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

ଶୀଘ୍ର ଟିକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକାର ପୁନସ୍ଥାପନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏଥିସହିତ ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ କ୍ୟାବିନେଟ ଦାବି ଜଣାଇଛି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ବୋଲି କ୍ୟାବିନେଟ ଦାବି କରିଛି ।

ଗଢ଼ା ହେଲା ୨ କମିଟି :

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀଠୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କିଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ୨ଟି ଉଚ୍ଚସ୍ତରୀୟ କମିଟି ଗଠନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ମାଗଣା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କାର୍ଯ୍ୟକାରୀ ନିମନ୍ତେ ମୋଟ ୩କୋଟି ୮୭ଲକ୍ଷ ୩୯ହଜାର ୦୨୨ଟି ଡୋଜ୍ କୋଭିଡ୍ ଟିକାର ଆବଶ୍ୟକତା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ,ଇସ୍ରାଏଲ ଫର୍ମୂଲାରେ ଓଡ଼ିଶାରେ କୋଭିଡ୍-୧୯ର ମୁକାବିଲା କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାର କମ୍ ଅବଧି ମଧ୍ୟରେ ଟିକାକରଣ ସାରିବା ପାଇଁ ଚାହୁଁଛନ୍ତି ।

ଏବେ ରାଜ୍ୟ ସରକାର ଭାରତ ବାୟୋଟେକକୁ ୧୦.୩୪ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ୨.୨୦ଲକ୍ଷ ଡୋଜ୍ କୋଭାସିଲ୍ଡ୍ ଯୋଗାଣ ନିମନ୍ତେ ଅର୍ଡର ଦେଇଥିବା ବେଳେ ଏହି ଦୁଇ ଉତ୍ପାଦନକାରୀ ଏପର୍ଯ୍ୟନ୍ତ ଯଥାକ୍ରମେ ଦେଢ଼ଲକ୍ଷ ଓ ୧ଲକ୍ଷ ଡୋଜ୍ ଟିକା ଯୋଗାଇ ପାରିଛନ୍ତି । ଯଦି ଏହି ଗତିରେ ଟିକା ଯୋଗାଣ ହୁଏ ତା’ହେଲେ ରାଜ୍ୟ ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ ସାମୂହିକ ଟିକାକରଣ କରିବାରେ ସମସ୍ୟା ହେବ । ସେଥିପାଇଁ ରାଜ୍ୟ ସରକାର କୋଭିଡ୍-୧୯ ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ । ଦେଶବିଦେଶର ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଅବଶ୍ୟ ରାଜ୍ୟ ସରକାର କେବଳ ସେହି ଟିକା କ୍ରୟ କରିବେ ଯାହାର ବିଶ୍ୱସନୀୟତା ଥିବ ଓ ଭାରତରେ ଉପଯୋଗ ନିମନ୍ତେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ)ଙ୍କ ଅନୁମୋଦନ ଲାଭ କରିଥିବ । ସବୁ ରାଜ୍ୟ ସରକାର ନିଜର ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଇ କୋଭିଡ୍ ଟିକା କ୍ରୟ ପାଇଁ ଆଗଭର ହେଉଥିବାରୁ ଓଡ଼ିଶା ମଧ୍ୟ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଅଧିକ ସଂଖ୍ୟକ କୋଭିଡ୍ ଟିକା ନିଜ ଲୋକଙ୍କ ନିମନ୍ତେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି ।

Comments are closed.