ସୀମାନ୍ତ ଅଞ୍ଚଳରୁ ପ୍ରବାସୀଙ୍କୁ ଆଣିବା ପାଇଁ ଓଡିଶାରେ ପଞ୍ଜିକୃତ ଘରୋଇ ବସ ଗୁଡିକୁ ନିୟୋଜିତ କରିବାକୁ ଦାବୀ

71

ମାଲକାନଗିରି : ମାରାତ୍ମକ କରୋନାର ଭୟାବହତାର କୁପରିଣାମ ଭୋଗିବାକୁ ପଡୁଛି ବସ ମାଲିକ ମାନଙ୍କୁ । କରୋନା ଜନିତ କଟକଣା ସାଙ୍ଗକୁ ଲକଡାଉନ ସଟ ଡାଉନ ଯୋଗୁଁ ଧରାଶାୟୀ ହୋଇ ପଡିଛି ଯାତ୍ରୀ ପରିବହନ । ଆଉ ବସ ମାଲିକଙ୍କ କଥା ନ କହିବ ଭଲ । ଲକଡାଉନ ହେଉ କି ସଟଡାଉନ ହେଉ ରାଜ୍ୟରେ କେବଳ ବସ ଚଳାଚଳ ବ୍ୟତିତ ଆଉ ପ୍ରାୟ ସମସ୍ତ ପ୍ରକାର ବ୍ୟବସାୟ ଉଣା ଅଧିକ ଯେନତେନ ପ୍ରକାରେ ଚାଲୁଛି । ଦୀର୍ଘ ବର୍ଷ ବର୍ଷ ଧରି ବିଭିନ୍ନ ସଂସ୍ଥାରୁ ଧାରକରଜ କରି ବସ ଚଲାଇ ଲୋକଙ୍କୁ ସେବା ଯୋଗାଉଥିବା ବସ ମାଲିକଙ୍କ ଦୁର୍ଦଶାର ଅନ୍ତ ନାହିଁ ।

କୋଭିଡ-୧୯ ପରେ ଘୋଷିତ କଟକଣାରେ ପେଷି ହୋଇଯାଇଥିବା ବସ ମାଲିକଙ୍କୁ ଗତବର୍ଷ ସରକାରଙ୍କ ଅପିଲ ପରେ ବୀମା କମ୍ପାନୀ ଅଫ ରୋଡ଼ ସମୟତକର ବୀମା ଅବଧି ବଢ଼ାଇଲେ । ରାଜ୍ୟ ସରକାର ମଧ୍ୟ ମାସିକ ଟିକସରେ ରିହାତି ସାଙ୍ଗକୁ କୋହଳ କଲେ । ବର୍ତମାନର ଦ୍ୱିତୀୟ ଲହରୀ ଅନୁଭୂତ ହେବାରୁ ରାଜ୍ୟ ସରକାର ଲକଡାଉନ ଜାରୀ କରିଥିବା ହେତୁ ବସରେ ଯାତ୍ରୀ ଯିବାକୁ ଅମଙ୍ଗ ଓ ସରକାର ମଧ୍ୟ ବସ ଚଳାଚଳ ଉପରେ ନିଷିଦ୍ଧଦେଶ ଜାରୀ କରିଛନ୍ତି । ରାଜ୍ୟ ବେସରକାରୀ ବସ ମାଲିକ ସଂଘ ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଗତ ମାସ ୧୬ ତାରିଖରେ ଉପସ୍ଥାପନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ବସ ମାଲିକଙ୍କ ନିମନ୍ତେ କୋଣସି ରିହାତି ଘୋଷଣା କରିନାହାନ୍ତି । ବସ ମାଲିକଙ୍କ ବସ ସବୁର ଫିଟନେସ ଅବଧି ସାଙ୍ଗକୁ ସ୍ଥାୟୀ ପରମିଟ ଅବଧି ଓ ବସ ସବୁର ଲାଇଫ ଅବଧି ଗତବର୍ଷ ଓ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଅନ୍ତତଃ ଏକ ବର୍ଷ ଵୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଜୟପୁର ଘୋରଇ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରକୁ ଜଣାଯାଇଛି ।

ସେହିଭଳି ବର୍ତ୍ତମାନ ସମୟରେ ଓଡିଶା -ଆନ୍ଧ୍ର, ଓଡିଶା -ତେଲେଙ୍ଗାନା, ଓଡିଶା -ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପହଞ୍ଚୁଥିବା ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପହଞ୍ଚାଇବା ପାଇଁ କେବଳ ଓଡ଼ିଶାରେ ପଞ୍ଜିକୃତ ବସ ସବୁକୁ ନିୟୋଜିତ କରି କ୍ଷତିଗ୍ରସ୍ତ ବସ ମାଲିକଙ୍କ ପ୍ରତି କିଛିଟା ସହାନୁଭୂତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ଜଣାଇବା ସହ  ଏଥି ସକାଶେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଜିଲ୍ଳାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସରକାରଙ୍କ ତରଫରୁ ଅବଗତ କରାଯିବାକୁ ସଂଘ ତରଫରୁ ନିବେଦନ କରାଯାଇଥିବା ଜଣାପଡିଛି ।

Comments are closed.