ବାଲି ମାଫିଆଙ୍କ ଦ୍ୱାରା ରାତିରେ ବାହାର ଜିଲ୍ଲାକୁ ବାଲି ଚାଲାଣ ହେଉଥିବା ଧରିବାରୁ ଆକ୍ରୋଶର ଶିକାର ହେଲି : ଯୁବ ନେତା ଚିତ୍ତ ପଟ୍ଟନାୟକ

65

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବାଲି ମାଫିଆଙ୍କ ରାଜ ଚାଲିଛି । ପ୍ରତିଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ଫାଙ୍କି ଜିଲ୍ଲା ବାହାରକୁ ବାଲି ଚୋରାଚାଲାଣ ହେଉଛି । ମାଲକାନଗିରି ଜିଲ୍ଲା ବାସୀ କୋଣସି ନିର୍ମାଣ କାମ ପାଇଁ ବାଲି ନପାଇ ପୋଡ଼ଶି ଛତିଶଗଡ଼ ରାଜ୍ୟ ସୁକୁମା ଜିଲାରୁ ବାଲି ଆଣୁଛନ୍ତି । କିନ୍ତୁ ଜିଲ୍ଲାରେ ବାଲି ଖଣି ଥାଇ ଜିଲ୍ଲାବାସୀ ବାଲି ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ସାମାନ୍ୟ ଟ୍ରାକ୍ଟରେ ବାଲି ଆଣିଲେ ତାକୁ ଧରି ମୋଟ ଅଙ୍କର ଫାଇନ ପକାଯାଉଛି । ଅଥଚ ରାତିରେ ଲୋଡ଼ ଲୋଡ଼ ବାଲି ଟିପର ଗାଡି ଗୁଡିକରେ ଯାଉଛି ଅଥଚ ତାକୁ ଧରିବା ପରିବର୍ତ୍ତେ ରାଜସ୍ବ ବିଭାଗ କର୍ମଚାରୀ ମାନେ ନିରବ ଦ୍ରଷ୍ଟା ସାଜିବା ପଛର କାରଣ କଣ ବୋଲି ସାଧାରଣରେ ଅଭିଯୋଗ ହେଉଛି ।

ଏହି ବାଲି ଚୋରାଚାଲାଣ ପଛରେ ଜିଲ୍ଲାର ଶାସକ ଦଳର କିଛି ମୁଷ୍ଟିମେୟ ବ୍ୟକ୍ତି ଓ କିଛି ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକଙ୍କ ହାତ ରହିଛି । ଏହି ବାଲି ଚୋରାଚାଲାଣକୁ ବିରୋଧ କରିବାରୁ ଆକ୍ରୋଶର ଶିକାର ହେବା ସହ ଗାଡି ଡ୍ରାଇଭର ମାନଙ୍କୁ ଭୟଭୀତ କରି ମୋ ନାମରେ ମିଥ୍ୟା କେସ କରାଯାଇଥିବା  ନିଜ ପ୍ରତିକ୍ରିୟାରେ ଖଇରପୁଟ ବ୍ଲକର ଯୁବନେତା ତଥା ସମାଜସେବୀ ଚିତ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ଗତ ୧୦ ତାରିଖରେ ଟିପର ଯୋଗେ କୋରାପୁଟ ଜିଲ୍ଲା ଶିମିଳିଗୁଡା ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ବାଲି ଗାଡିକୁ ଗୋବିନ୍ଦପାଲି ଠାରେ ଚିତ୍ତ ଓ ତାଙ୍କର ସହଯୋଗୀ ମାନେ ଅଟକାଇଥିଲେ । ସମ୍ପୃକ୍ତ ଗାଡି ଡ୍ରାଇଭର ମାଥିଲି ନିକଟ ପାଙ୍ଗାମ ନଦୀ ଘାଟରୁ ବାଲି ଉଠାଇ ନେଉଥିବା ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ବାଲି ଚାଲାଣର ସଠିକ କାଗଜପତ୍ର ଡ୍ରାଇଭରଙ୍କ ପାଖରେ ନଥିଲା । ପରେ ଚିତ୍ତ ଏନେଇ ରାଜସ୍ବ ବିଭାଗ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଥିଲେ । ଏଥି ଯୋଗୁଁ ଡ୍ରାଇଭରମାନଙ୍କୁ ଅସ୍ତ୍ର କରି ମୋ ନାମରେ ମିଥ୍ୟା କେସ କରିଛନ୍ତି ବୋଲି ଅଭିଯୋଗ କରିବାସହ ନିଜକୁ  ତହସିଲଦାର ବୋଲି ପରିଚୟ ଦେଇ ଗାଡି ଅଟକାଇ ଟଙ୍କା ଛଡାଇ ନେଇଥିବା କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ ଭିତ୍ତିହୀନ, ଯାହାର ପ୍ରମାଣ ଡ୍ରାଇଭର ମାନଙ୍କ ସହ ମୋର କଥୋପକଥନ ର ଭିଡିଓ ମୁଁ ବିଭିନ୍ନ ସୋସିଆଲ ମିଡିଆରେ ଛାଡି ଥିବାର ପ୍ରତିକ୍ରିୟା ଦେଇଥିଲେ ।

ଅନ୍ୟ ପକ୍ଷରେ ବାଲି ଚୋରାଚାଲାଣ ଘଟଣାର ପ୍ରକୃତ ତଦନ୍ତ କଲେ ସରକାର କେତେ ରାଜସ୍ୱ ପାଉଛନ୍ତି ତାହା ଜଣାପଡିବା ସହ ମାଫିଆଙ୍କ ମୁଖା ଖୋଲିଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ତାଙ୍କର ଭାବ ମୂର୍ତ୍ତିଖି ର୍ଣ୍ଣ କରିବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।  ଉଲ୍ଲେଖ ଥାଉକି ଗତ କିଛିଦିନ ତଳେ ଆଗଧାଡିର ଯୁବନେତା ତଥା ସମାଜସେବୀ ଚିତ୍ତ ପଟ୍ଟନାୟକ ନିଜକୁ ତହସିଲଦାର ପରିଚୟ ଦେଇ ବାଲି ଗାଡି ଅଟକାଇ ଟଙ୍କା ଆଦାୟ କରିଥିବା ମିଥ୍ୟା ଖବର କିଛି ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା ।

Comments are closed.