ସ୍ଥଳଭାଗ ଛୁଇଁବା ପୂର୍ବରୁ… : ଉଗ୍ର ରୂପ ନେଲା ବାତ୍ୟା ତଉକ୍ତେ

66

-ସମୁଦ୍ରର ଶକ୍ତି ସାଉଁଟି ଗୁଜରାଟ ଅଭିମୁଖେ ବାତ୍ୟା
-କେରଳ-ଗୋଆ ଓ କର୍ଣ୍ଣାଟକରେ ତାଣ୍ଡବ ରଚିଲା
-୧୮ରେ ପୋରବନ୍ଦର-ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ୍

ନୁଆଦିଲ୍ଲୀ : ପ୍ରଳୟ ରଚିବ ତଉକ୍ତେ । ଭୟଙ୍କର ରୂପ ନେଇ ଆଗକୁ ବଢ଼ୁଛି ଆରବ ସାଗରରେ ସୃଷ୍ଟ ବାତ୍ୟା । ଏବେ ଗୁଜରାଟ ଉପକୂଳମୁହାଁ । ଅଧିକ ଘନୀଭୂତ ହୋଇ ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ୧୮ତାରିଖ ସକାଳେ ଗୁଜରାଟର ପୋରବନ୍ଦର-ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ଆଜି ଗୋଆ ଉପକୂଳ ଅତିକ୍ରମ କରିବା ବେଳେ ତାଣ୍ଡବ ରଚିଥିଲା ତଉକ୍ତେ । କର୍ଣ୍ଣାଟକରେ ତାଉକ୍ତେ ପ୍ରଭାବରୁ ୪ଜୀବନ ଯିବା ସହିତ ୭୪ଟି ଗାଁ ପ୍ରଭାବିତ ହୋଇଛି । ଗୋଆରେ ମଧ୍ୟ ୨ଜଣଙ୍କ ଜୀବନ ଯାଇଛି । ୧୦୦ରୁ ଊଦ୍ଧ୍ୱର୍ ଘର ଭାଙ୍ଗିଯିବା ସହିତ ୫୦୦ ଗଛ ଉପୁଡ଼ିଯାଇଛି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିାରେ ବୋଲି ଅନୁମାନ କରାଯାଉଛି । ଏଥିସହିତ ବାତ୍ୟା ପ୍ରଭାବକୁ ଦେଖି ଗୋଆର ସମସ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି । କେରଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କେରଳର ଥିରୁଅନନ୍ତପୁରମ୍ରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ ସୁରକ୍ଷିତ ରଖିବା ପାଇଁ ପଥର ବନ୍ଧ କରାଯାଇଥିଲେ ମଧ୍ୟ ଏହାକୁ ମାଡ଼ି ଯାଇ ବି ର୍ଯ୍ୟୟ ଘଟାଇଛି ।

ସମୁଦ୍ର ଭିତରୁ ଶକ୍ତି ସାଉଁଟି ଆଗକୁ ମାଡିଚାଲିଛି ଏହି ବାତ୍ୟା ତଉକ୍ତେ । ଏବେ ସାମ୍ନାକୁ ଆସିଛି ବାତ୍ୟାର ଆଖି । ସାଟେଲାଇଟ୍ ଇମେଜ୍ରୁ ସାଇକ୍ଲୋନିକ୍ ଆଇ ଦେଖିବାକୁ ମିଳିଛି । ଏହି ବାତ୍ୟା ଆଇର ବ୍ୟାସ ୪ କିମି । ଗୁଜରାଟ ଏବଂ ଡିଉକୁ ଜାରି ହୋଇଛି ବାତ୍ୟା ସତର୍କତା । ୫ଟି ରାଜ୍ୟକୁ ମଧ୍ୟ ହାଇଆଲର୍ଟ ରଖାଯାଇଛି । ଘଣ୍ଟା ପ୍ରତି ୧୧ କିମି ବେଗରେ ଆଗକୁ ମାଡିଚାଲିଛି ଏହି ବାତ୍ୟା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବ । ୧୮ ତାରିଖ ଭୋରରୁ ଭବନଗର ଜିଲ୍ଲାର ପୋରବନ୍ଦର-ମହୁଭା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିମି ରହିବ । ଏପରିକି ସ୍ଥଳ ବିଶେଷରେ ଘଣ୍ଟା ପ୍ରତି ୧୭୫ କିମି ରହି ପାରେ ବୋଲି ପାଣିପାଗ ବିଭାଗ କହିଛି ।

ଗୁଜୁରାଟରେ ତଉକ୍ତେ ମୁକାବିଲା ପାଇଁ ଏନ୍ଡିଆର୍ଏଫ୍କୁ ମୁତୟନ କରାଯାଇଛି । ଏନ୍ଡିଆର୍ଏଫ୍ର ୨୪ ଟିମ୍ ସନ୍ଧ୍ୟା ସୁଦ୍ଧା ବାତ୍ୟ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁତୟନ ହୋଇଯିବେ ବୋଲି ଜଣାପଡିଛି । ଏହି ୨୪ ଟିମ୍ ମଧ୍ୟରୁ ୧୩ଟି ଟିମ୍ ବାହାରୁ ଆସିଛି । ଓଡ଼ିଶାରୁ ମଧ୍ୟ ଏନ୍ଡିଆର୍ଏଫ୍ର ଗୋଟିଏ ଟିମ୍ ଗୁଜୁରାଟ ଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଉକ୍ତେ ମୁକାବିଲା ପାଇ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଶନିବାର ଦିନ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସୀଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ସେ ଆଦେଶ ଦେଇଥିଲେ । ଏହାସହିତ ବିଦ୍ୟୁତ, ଫୋନ୍, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ଜରୁରୀ ସେବା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ତଉକ୍ତେ ପ୍ରଭାବରୁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଏୟାର ଭିସ୍ତାରା ଅନୁସାରେ ୧୭ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ,କୋଚ୍ଚି, ଥିରୁଭନନ୍ତପୁରମ, ବେଙ୍ଗାଲୁରୁ, ପୁଣେ, ଗୋଆ ଓ ଅହମ୍ମଦାବାଦକୁ ବିମାନ ଚଳାଚଳ ବନ୍ଦ ରହିବ ।

Comments are closed.