ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘରେ ଟୀକାଦାନର ଶୁଭାରମ୍ଭ

69

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବରିଷ୍ଠ ନାଗରିକ ତଥା ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ଯେଉଁ ମାନେ ଟୀକା କେନ୍ଦ୍ରକୁ ଯାଇପାରିବେ ନାହିଁ, ସେମାନଙ୍କୁ ସେମାନଙ୍କ ଘରେ ଟୀକାଦାନ କରାଯାଉଛି । ଏକ ସ୍ୱତନ୍ତ୍ର ଯାନ ଯୋଗେ ଏକ ମେଡ଼ିକାଲ ଟିମ୍ ଲୋକଙ୍କ ଘରେ ପହଂଚି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ଟୀକାଦାନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଆଜି ପୂର୍ବାହ୍ନ ୧୦ଟା ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏବଂ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ ।

ଟୀକାକରଣ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଟେଲିଫୋନ୍ ନଂ ପ୍ରଦତ କରାଯାଇଛି । ଏହି ନମ୍ବର ୭୩୨୮୦୯୯୩୨୪ ଯୋଗେ ଯୋଗାଯୋଗ କରି ଲୋକେ ଏହି ସୁବିଧା ଉପଲବ୍ଧ କରିପାରିବେ । ଆଜି ପ୍ରାୟ ୧୦୦ ଜଣଙ୍କୁ ଏଭଳି ଟୀକାଦାନର କାର୍ଯ୍ୟକ୍ରମ ରହିଛି । ଗତକାଲି ଠାରୁ ଯେଉଁମାନେ ଫୋନ୍ ମାଧ୍ୟମରେ ଏନେଇ ନାମ ରେଜିଷ୍ଟ୍ରେସନ କରିଥିଲେ ସେମାନଙ୍କୁ ଆଜି ଟୀକା ଦିଆଯାଉଛ । ଆବଶ୍ୟକ ହେଲେ ଆସନ୍ତା କାଲି ଠାରୁ ଅଧିକ ସଂଖ୍ୟାରେ ଯାନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.