୭ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦିଅ

72

ଭୁବନେଶ୍ୱର : ବାତ୍ୟା ୟଶ୍ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହିତ ବାତ୍ୟା ୟଶ୍ର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘରଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନକେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପାନୀୟଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବ୍ଶୀଘ୍ର ସ୍ୱାଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ । ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି ।

ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗରେ ପ୍ରାକୃତିକ ବିର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିାରିଛି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ୱାଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ୱାଭାବିକ ହୋଇଛି । ପାନୀୟଜଳ ପାଇଁ ଡିଜି ସେଟ୍, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୦୦ଟି ବ୍ଲକ୍ରେ ପ୍ରବଳ ବର୍ଷା ହୋଇଥିଲା । ମୟୁରଭଞ୍ଜ କୁସୁମୀ ବ୍ଲକ୍ର ୫୧୫ ମି.ମି ବର୍ଷା ହୋଇଥିବା ସେ ସୂଚନା ଦେଇଥିଲେ ।

ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତେ୍ୱ ବନ୍ୟା ଆଶଙ୍କା କମ୍ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥ୍ରିତି ସତର୍କ ଦୃଷ୍ଟି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ୱାଭାବିକ କରାଯିବ । ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍ସେଟ୍ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳଯୋଗାଣ ପ୍ରକ୍ରିୟା ସ୍ୱାଭାବିକ କରାଯାଇଛି । ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍ପିଟାଲରେ ଭିତ୍ତିଭୂମି ଠିକ୍ ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ । ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ । ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Comments are closed.