ମିଳିତ ଉଦ୍ୟମ ଲୋଡ଼ା : ଟିକା କିଣିବାରେ ରାଜ୍ୟକୁ ଦିଆଯାଉ କ୍ଷମତା

68

-୨୮ ରାଜ୍ୟକୁ ନବୀନଙ୍କ ଆହ୍ୱାନ
-ସ୍ୱାଧୀନତା ସଂଗ୍ରାମ ପରେ କୋଭିଡ୍ ଦେଶ ପାଇଁ
ବଡ଼ ଚାଲେଞ୍ଜ
-ରାଜ୍ୟ-ରାଜ୍ୟ ଭିତରେ ପ୍ରତିଯୋଗିତା ଠିକ୍ ନୁହଁ
-ଟିକାକରଣ କାର୍ଯ୍ୟକାରିତାର ବିକେନ୍ଦ୍ରୀକରଣ ହେଉ

ଭୁବନେଶ୍ୱର : ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟକୁ ଆହ୍ୱାନ ଦେଇଛନ୍ତି । ୨୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖି ଟିକା ପାଇବାକୁ ରାଜ୍ୟ ରାଜ୍ୟ ଭିତରେ ପ୍ରତିଯୋଗିତା ନହେଉ । କେନ୍ଦ୍ର ଟିକା କିଣି ରାଜ୍ୟଗୁଡ଼ିକୁ ଯୋଗାନ୍ତୁ । ଟିକାକରଣରେ ନିଜସ୍ୱ ନିଷ୍ପତ୍ତି ନେବାକୁ ରାଜ୍ୟକୁ ଅନୁମତି ମିଳୁ । ଏପରି ସହମତି ଲୋଡ଼ି ସମସ୍ତଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀନ ନବୀନ ପଟ୍ଟନାୟକ ।

ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ର ତୃତୀୟ ଲହରରୁ ଲୋକଙ୍କୁ ସୁରକ୍ଷିତ ରଖିବାର ଏକମାତ୍ର ଉପାୟ ହେଉଛି ଟିକାକରଣ । ଟିକାକରଣକୁ ଅଗ୍ରାଧିକାର ନଦେଲେ କୌଣସି ରାଜ୍ୟ ସୁରକ୍ଷିତ ନୁହଁନ୍ତି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ହେବା ଆବଶ୍ୟକ । କିନ୍ତୁ ଟିକା ପାଇବାକୁ ରାଜ୍ୟ ରାଜ୍ୟ ଭିତରେ ପ୍ରତିଯୋଗିତା ହେବା ଠିକ୍ ନୁହେଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ତେଣୁ ଉତ୍ତମ ବିକଳ୍ପ ହେଉଛି ଭାରତ ସରକାର କେନ୍ଦ୍ରୀୟ ସ୍ତରରେ ଟିକା କିଣି ରାଜ୍ୟଗୁଡ଼ିକୁ ପ୍ରଦାନ କରନ୍ତୁ । ଫଳରେ ଶୀଘ୍ର ଟିକାକରଣ ହେବ । ଏଥିସହ ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରିତାର ବିକେନ୍ଦ୍ରୀକରଣ ହେଉ ବୋଲି ନବୀନ ତାଙ୍କ ଚିଠିରେ ଲେଖିଛନ୍ତି । ଟିକାକରଣ ପାଇଁ ନିଜସ୍ୱ ନିଷ୍ପତ୍ତି ନେବାକୁ ରାଜ୍ୟଗୁଡ଼ିକୁ ଅନୁମତି ମିଳୁ । ସ୍ୱାଧୀନତା ସଂଗ୍ରାମ ପରେ ଦେଶ ପାଇଁ କୋଭିଡ୍ ସବୁଠାରୁ ବଡ଼ ଚାଲେଞ୍ଜ । ତେଣୁ ମୂଲ୍ୟବାନ ଜୀବନ ଜୀବିକା ଲାଗି ସଂଘୀୟ ବ୍ୟବସ୍ଥାରେ ରାଜନୈତିକ ମତଭେଦ ଭୁଲି ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ । ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଶାସିତ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସହମତି ଲୋଡ଼ିଛନ୍ତି ନବୀନ ପଟ୍ଟନାୟକ । ତୃତୀୟ ପର୍ଯ୍ୟାୟ ଟିକାକରଣରେ ରାଜ୍ୟଗୁଡ଼ିକ ଟିକା କିଣୁଛନ୍ତି ।

ଟିକା ନିର୍ମାତା କମ୍ପାନୀମାନେ ଆବଶ୍ୟକ ଟିକା ଯୋଗାଇବାରେ ଅସମର୍ଥ । ଟିକାର ଅଭାବ ଥିବାରୁ ଗ୍ଲୋବାଲ୍ ଟେଣ୍ଡର ଡାକିଛନ୍ତି ବିଭିନ୍ନ ରାଜ୍ୟ । କିନ୍ତୁ ବିଦେଶୀ ଟିକା ନିର୍ମାତା କେନ୍ଦ୍ର ସରକାରଙ୍କ ଅନୁମତି ଓ ପ୍ରତିଶ୍ରୁତି ଚାହୁଁଛନ୍ତି । ରାଜ୍ୟଗୁଡ଼ିକୁ ଟିକା ଯୋଗାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବିଦେଶୀ କମ୍ପାନୀ । ଉତ୍ତରପ୍ରଦେଶର ଗ୍ଲୋବାଲ୍ ଟେଣ୍ଡରକୁ ବିଦେଶୀ କମ୍ପାନୀ ଆଗ୍ରହ ଦେଖାଇଲେ ନାହିଁ । ତେଣୁ ଟେଣ୍ଡର ସମୟସୀମାକୁ ଜୁନ୍ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟଗୁଡ଼ିକୁ ଟିକା ଦେବୁନାହିଁ ବୋଲି ଦିଲ୍ଲୀକୁ ଜଣାଇଛନ୍ତି ଫାଇଜର ଓ ମଡେର୍ଣ୍ଣା । କର୍ଣ୍ଣାଟକରେ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ଫେଲ୍ ହୋଇଛି । ତେଣୁ ରାଜ୍ୟ ସରକାର ସିଧା ଟିକା ନିର୍ମାତା କମ୍ପାନୀଙ୍କ ଠାରୁ ଟିକା କିଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ ଓ କେରଳ ସରକାରଙ୍କ ଟିକା ଟେଣ୍ଡର ସଫଳ ହୋଇନାହିଁ । ଏଭଳି ସ୍ଥିତିରେ ଶୀଘ୍ର ଟିକାକରଣ ପାଇଁ କେନ୍ଦ୍ର ଟିକା କିଣି ରାଜ୍ୟଗୁଡ଼ିକୁ ପ୍ରଦାନ କରୁ ବୋଲି ନବୀନ କହିବା ସହ ଏଥିନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡ଼ିଛନ୍ତି ।

Comments are closed.