ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗ ର ମିଛ !!!

77

କୋଲନରା :  ଦୁର୍ଗମ ଆଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ଟିକା କାରଣର ଚିତ୍ର ପଦାରେ ପଡିଛି। ଟିକା କାରଣକୁ ନେଇ ମିଥ୍ୟା ତଥ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଗ୍ରାମବାସୀଙ୍କ ତାଟିକବାଟ ଦେବା ଘଟଣାର ପରଦାଫାସ ହୋଇଛି । ରାୟଗଡା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାକଣା ଗ୍ରାମର ଏହି ଛୋଟ ଜନବସତିରେ ପ୍ରାୟ ନବେ ପରିବାରର ପ୍ରାୟ ୫୦୦ ଲୋକ ବସବାସ କରନ୍ତି। ଗାଁର ଅଧିକାଂଶ ପରିବାର ଜଙ୍ଗଲ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି । ମୌସୁମୀ ପ୍ରାକ ବର୍ଷାକୁ ଦେଖି ସମସ୍ତେ ଗାଁ ପାଖରେ ଥିବା ପାହାଡ଼ ଜଙ୍ଗଲରେ ନିଜ ନିଜର ଚାଷବାସ କରିଛନ୍ତି ତେବେ ଗତ ୯ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ କିଆମୁଣ୍ଡାରେ ତର୍ଲାବାଡି, କିଆମୁଣ୍ଡା ଏବଂ ଚମ୍ପାକଣା ଗ୍ରାମର ୪୫ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ଟିକା ପାଇଁ କ୍ୟାମ୍ପ କରିଥିଲେ। କିଆମୁଣ୍ଡା ଲୋକଙ୍କ ଟିକା ପରେ ଚମ୍ପାକଣା ଗ୍ରାମର କେହି ଟିକା ନେବାକୁ ନ ଆସିବାରୁ ଏହି ମେଡିକାଲ ଟିମ ଚମ୍ପାକଣା ଗ୍ରାମକୁ ଯାଇଥିଲା ।

ପୂର୍ବରୁ ଗାଁ ଲୋକଙ୍କୁ ଟିକା ପାଇଁ କୌଣସି ସୂଚନା ଦିଆଯାଇନଥିବା ଯୋଗୁଁ ସବୁଦିନ ପରି ସେଦିନ ମଧ୍ୟ ଘରେ ତାଲା ପକାଇ ନିଜ ନିଜ ଡଙ୍ଗରକୁ ଚାଷ ପାଇଁ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟ ବିଭାଗର ଟିମ ଟିକା ଦେବାପାଇଁ ଆସିଥିବା ଜାଣିବା ପରେ ଗାଁରେ ଥିବା କିଛି ଛୁଆ ଘରେ କବାଟ ଦେଇ ଚାଲି ଯାଇଥିଲେ । ସତ୍ୟାସତ୍ୟ ଅନୁଧ୍ୟାନ ନକରି ସ୍ୱାସ୍ଥ୍ୟ ବିଭାଗୀୟ ଟିମ କୋଭିଡ଼ ଟିକା ଦେବାପାଇଁ ଚମ୍ପାକଣା ପହଞ୍ଚିବା ବେଳକୁ ଗ୍ରାମବାସୀ ଭୟରେ ତାଟିକବାଟ ବନ୍ଦ କରି ଜଙ୍ଗଲରେ ଲୁଚିଗଲେ ବୋଲି ପ୍ରଶାସନକୁ ରିପୋର୍ଟ କରିବା ସହ ନିଜେ ଉଠାଇଥିବା ଭିଡିଓ ଏବଂ ଫୋଟୋକୁ ଗଣମାଧ୍ୟମକୁ ଯୋଗାଇ ଦିଆଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବ୍ଲକ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା।ଗତ ୧୧ ତାରିଖରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜି ପି ଓ ରମେଶ ଚନ୍ଦ୍ର ଯୋଶୀ, ବିଏସଏସଓ ଶ୍ରୀକାନ୍ତ ପାଣିଗ୍ରାହୀ, ବିପିଏମ ଟୁନା ଖଟେଇ ଏବଂ ସ୍ୱାସ୍ଥ୍ୟ ବିଭାଗର ଇନଚାର୍ଜ ଏମଓଡି ଶୈଳଜା ଏବଂ ତାଙ୍କ ଟିମ ଚମ୍ପାକଣାଗାଁରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଗ୍ରାମବାସୀଙ୍କ ନାମରେ ଯେଉଁ ମିଥ୍ୟା ପ୍ରଚାର ହୋଇଥିଲା ସେଥିପାଇଁ ଗ୍ରାମର ମୁଖିଆ କୃଷ୍ଣ ହେପ୍ରିକା ସ୍ୱାସ୍ଥ୍ୟ ବିଭାଗର ଏପରି ମିଥ୍ୟା ଚିତ୍ରଣକୁ ନିନ୍ଦା କରିଛନ୍ତି, ପ୍ରତିକ୍ରିୟାରେ କହିଛନ୍ତି ଆମର ଜୀବିକା ପାହାଡ଼ ଜଙ୍ଗଲରେ ଏବଂ ସେଠାରେ ଲୁଚିଗଲେ କହିବା ଏବଂ ଗଣମାଧ୍ୟମକୁ ମିଥ୍ୟା ତଥ୍ୟ ଦେବା ଏକ ଘୁଣ୍ୟ ପଦକ୍ଷେପ।ଅଙ୍ଗନବାଡି ତାଲିକାରେ ଚମ୍ପାକଣା ଗ୍ରାମର ୪୫ ବର୍ଷରୁ ଊର୍ଦ୍ଧ୍ବ ୭୬ ଜଣ ସ୍ତ୍ରୀ ପୁରୁଷ ରହିଥିବା ବେଳେ ସେଥିମଧ୍ୟରୁ ଗତ ୨୨/୩ /୨୧ରେ ୫୦ ଜଣ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି। ଏହି ଟିକାକରଣ କିମ୍ବା ସ୍ୱାସ୍ଥ୍ୟ ସେବା ଟିମ ଆସିବାକୁ ଥିଲେ ସେମାନଙ୍କୁ ଆଗୁଆ ଜଣାଇବାକୁ ହୁଏ ଏବଂ ସେମାନେ କୌଣସି କାମକୁ ନଯାଇ ଅପେକ୍ଷା କରନ୍ତି। କିନ୍ତୁ ସେଦିନ କିଆମୁଣ୍ଡା ଗ୍ରାମରେ ଟିକାକରଣ କାର୍ଯ୍ୟକ୍ରମ ଥିଲା ଏବଂ ସ୍ୱାସ୍ଥ୍ୟ କର୍ମୀ ହଠାତ ଚମ୍ପାକଣାରେ ପହଞ୍ଚିଥିଲେ। ଏଭଳି ସ୍ଥଳେ ଗାଁ ଲୋକଙ୍କ ସହିତ କଥାବାର୍ତ୍ତା ନକରି କିମ୍ବା ଘଟଣାର ଅନୁସନ୍ଧାନ ନକରି କିପରି ଜଣେ ଦାୟିତ୍ଵ ସମ୍ପର୍ଣ୍ଣ କୋଲୋନରାର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମରେ ଭୁଲ ତଥ୍ୟ ଦେଲେ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Comments are closed.