ଭିକାରୀମୁକ୍ତ ହେବ ରାଜଧାନୀ

76

ଭୁବନେଶ୍ୱର : ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବିଏମ୍ସି, କମିଶନରେଟ ପୋଲିସ୍ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି । ଭୁବନେଶ୍ୱରର ୬୧ଟି ୱାର୍ଡର ଗଳିକନ୍ଦିରୁ ଭିକ୍ଷାବୃତି କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କରିବାକୁ ଯୋଜନା ରଖାଯାଇଛି ।

ଏହି କ୍ରମରେ ଶୁକ୍ରବାର ଦିନ ଜନପଥ, ୟୁନିଟ -୧, ୟୁନିଟ -୨ ମାର୍କେଟ ଅଂଚଳରେ ଅଭିଯାନ ଚାଲିଛି । ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରିମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଉଛି । ଏନେଇ ବିଏମ୍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ସେମାନଙ୍କୁ ଉଦ୍ଧାର କରି ବିଭିନ୍ନ ସରକାରୀ ପରିଚାଳିତ ଅନୁଷ୍ଠାନରେ ରଖାଯାଉଛି । ୨୦୦ ପାଖାପାଖି ଭିକାରୀଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ବି ଆହୁରି ଭିକାରୀ ରାସ୍ତାକୁ ଆସୁଛନ୍ତି । ସେମାନଙ୍କୁ ମଧ୍ୟ ଥଇଥାନ କରିବାକୁ ଚେଷ୍ଟା କରୁଛୁ । ଏହାବାଦ ବନଜାରା ସମ୍ପ୍ରଦାୟ ଲୋକ ଏକାଠି ମେଳି ହୋଇ ବିଭିନ୍ନ ସ୍ଥାନରେ ରହୁଥିବା ଦେଖାଯାଉଛି । ସେମାନଙ୍କୁ ଭୁବନେଶ୍ୱରରୁ ବାହାରକୁ ନେବାକୁ ପୋଲିସର ସାହାଯ୍ୟ ନେବୁ ।

ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରୀଙ୍କ ଆବଶ୍ୟକ ଯତ୍ନ ନିଆଯିବ । ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ । ଏହି ସମୟରେ ସେମାନେ ପରିବାର ସହ ଯୋଗାଯୋଗରେ ରହିବେ । ସେମାନେ ସାଧ୍ୟ ମୁତାବକ କିପରି ରୋଜଗାରକ୍ଷମ ହୋଇପାରିବେ ସେଥି ପ୍ରତି ମଧ୍ୟ ପ୍ରଚେଷ୍ଟା କରିବୁ ବୋଲି ବିଏମ୍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

Comments are closed.