ଅନଲାଇନ୍ ଶିକ୍ଷାରୁ ବଞ୍ଚିତଙ୍କ ପାଇଁ ବ୍ଲୁ ପ୍ରିଣ୍ଟ : ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ମାଧ୍ୟମରେ ପାଠପଢ଼ା

65

ଭୁବନେଶ୍ୱର : ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ଏହାବାଦ ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଏଥିନିମନ୍ତେ ଚୟନ କରାଯିବ । ଏମାନେ ୧୦ ହଜାର ଗାଁରେ ପାଠ ପଢାଇବେ । ଜଣେ ଲେଖାଏଁ ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢାଇବେ । ଟିଚର୍ ଏଡୁକେଟେର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ଅବଶିଷ୍ଟ ପିଲାଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମଧୁ ଆପ୍, ୟୁଟ୍ୟବ୍, ରେଡିଓ ଦ୍ୱାରା ପିଲାଙ୍କୁ ପାଠ ପଢାଯାଉଛି । ଏହାଛଡ଼ା ରାଜ୍ୟରେ ଖାଲି ଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହେବ । ୪୫୫୮ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଓଏସ୍ଏସ୍ଟିଇଟି ପରୀକ୍ଷା ହେବାକୁ ଯାଉଛି । ଏହାବାଦ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ରେଜଲ୍ଟ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ କରିବୁ ବୋଲି କହିଥିଲୁ । କିନ୍ତୁ ସୁପ୍ରିମକୋର୍ଟଙ୍କ ନୀର୍ଦ୍ଦେଶ ଅନୁସାରେ ଆମେ ଚେଷ୍ଟା କରୁଛୁ । ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ।

Comments are closed.