ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ :ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି

68

ଭୁବନେଶ୍ୱର : ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସୋମାବାର ଅପରାହ୍ଣରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜିତ ହେବ । ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।

ଗୃହ ବିଭାଗ ଦ୍ୱାରା ଚିହ୍ନଟ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପରିବେଷଣ,ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ୍ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଚଳିତ ସ୍ୱାଧୀନତା
ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ବିଷୟରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍ ଓ ପିଇବା ପାଣି ବ୍ୟବସ୍ଥା କରାଯିବ ।

ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ୱର ପରିଚାଳନା କରିବେ । ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା,ଚେନ୍ନାଇ, ମୁମ୍ବାଇଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ । ସେହିପରି ଆରଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ କୋଭିଡ୍ ନିୟମାବଳୀ ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଓଡ଼ିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସଂପାଦକ ଡ.ଲେନିନ୍ ମହାନ୍ତି, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିର୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା ଏବଂ ଉପନିର୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନା କରିଥିଲେ ।

Comments are closed.