ବିଏସ୍ସି ନର୍ସିଂ ପାଇଁ ନୂଆ ନିୟମ : ବିନା ନିଟ୍ ପରୀକ୍ଷାରେ ଆଡମିଶନ୍ ମନା

70

ନୂଆଦିଲ୍ଲୀ : ଯେଉଁ ଛାତ୍ରଛାତ୍ରୀମାନେ ବିଏସ୍ସି ପରେ ନର୍ସିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଏବେ ବିଏସ୍ସି ନର୍ସିଂରେ ଅଡମିଶନ କରିବାକୁ ହେଲେ ପ୍ରଥମେ “ନିଟ୍’ ପରୀକ୍ଷା ଦେବାକୁ ପଡିବ । ଅର୍ଥାତ ନିଟ୍ ପରୀକ୍ଷାଫଳ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ବିଏସ୍ସି ନର୍ସିଂରେ ଆଡମିଶନ ମିଳିବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ କୋର୍ସ ଓ ବିଏସ୍ସି ନର୍ସିଂ ପାଇଁ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୧୦ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଅନ୍ୟପଟେ ବିଏସ୍ସି ନର୍ସିଂ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନଙ୍କର ସର୍ବନିମ୍ନ ବୟସ ୧୭ବର୍ଷ ହୋଇଥିବା ଆବଶ୍ୟକ । ଏହାସହ ଯୁକ୍ତ ୨ ପରୀକ୍ଷାରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଓ ଇଂରାଜୀ ବିଷୟରେ ପାସ୍ କରିଥିବା ଜରୁରି । ଏହାସହ ପିସିବିରେ ସର୍ବନିମ୍ନ ୪୫ ପ୍ରତିଶତ ମାର୍କ ସହ ପାସ୍ କରିଥିବା ବି ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ (ଏନ୍ଆଇଓଏସ୍)ରେ ବିଜ୍ଞାନ ଓ ଇଂରାଜୀ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ସେମାନେ ବି ବିଏସ୍ସି ନର୍ସିଂ ପାଇଁ ଆବେଦନ କରିପାରିବେ । ଏହାସହ ପିସିବି ସବ୍ଜେକ୍ଟ ସହ ୪୦ ପ୍ରତିଶତ ମାର୍କ ରଖିଥିବା ଏସ୍ସି, ଏସ୍ଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ବି ଆବେଦନ କରିପାରିବେ । କିନ୍ତୁ ଇଂରାଜୀ ବାଧ୍ୟତା ମୂଳକ ।

Comments are closed.