ଅକ୍ଟୋବର ୨୯ ଆସିଲେ ମନେପଡେ ମହାବାତ୍ୟା

75

ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ ମସିହାରେ । ଆଣ୍ଡାମାନ ସାଗରରେ ୨୫ ଅକ୍ଟୋବରରେ ସୃଷ୍ଟି ହୋଇ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ମହାବାତ୍ୟା ରୂପ ନେଇଥିଲା । ଜଗତସିଂହପୁର ଜିଲ୍ଲାରେ ଅକ୍ଟୋବର ୨୯ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିଥିଲା । ବାତ୍ୟା ସ୍ଥଳଭାଗରେ ମାଡ ସମୟରେ ଘଣ୍ଟା ପ୍ରତି ୨୬୦ କି.ମି ବେଗରେ ପବନ ବହିଥିଲା । ଫଳରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡିକ ଛାରଖାର ହୋଇ ଯାଇଥିଲା । ବାତ୍ୟା ମାଡ ହେବା ପରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କି.ମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିଥିଲା । ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୧୮ ଲକ୍ଷରୁ ଅଧିକ ଘର ମାଟିରେ ମିଶିଥିଲା । ଅଦ୍ୟାବଧି ଏହାକୁ ଭାରତର ସବୁଠାରୁ ବଡ ବାତ୍ୟା ଭାବେ ବେବେଚନା କରାଯାଉଛି । ଏହି ବାତ୍ୟାକୁ ଏବେ ୨୧ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରତିବର୍ଷ ଅକ୍ଟୋବର ୨୯ ଆସିଲେ ଓଡିଶାବାସୀଙ୍କୁ ବାତ୍ୟା ଭୟ ଘାରି ଥାଏ ।

ପ୍ରାକୃତିକ ବିପର୍ଯ୍ୟୟର ଚିରସହଚର ହୋଇଛି ଓଡ଼ିଶା । ଏକ ତଥ୍ୟ ମୁତାବକ ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟା ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ବାତ୍ୟା ସଂଖ୍ୟା ୯ ଥିଲା । ୧୯୧୧ରୁ ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ ମଧ୍ୟରେ ୧୦ଟି ବାତ୍ୟ ସାମ୍ନା କରିଛି ଓଡିଶା । ଏ ପ୍ରସଙ୍ଗରେ ସାମୁଦ୍ରିକ ବିଜ୍ଞାନୀ ପ୍ରଫେସର ପ୍ରତାପ କୁମାର ମହାନ୍ତି କହିଛନ୍ତି ଯେ, ୧୯୯୯ ମହାବାତ୍ୟା ପରେ ୧୦ ବର୍ଷ ଧରି ରାଜ୍ୟ ଆଦୈା ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ ବାତ୍ୟା ସହ ୭ଟି ବାତ୍ୟା ଓଡିଶା ଉପକୂଳ ଦେଇ ଯାଇଛି । ନିକଟରେ ‘ୟସ’କୁ ମିଶାଇଲେ ଏହି ସଂଖ୍ୟା ୪ ହେବ । ଆଉ ଏକ ରିପୋର୍ଟରୁ ଜଣାପଡିଛି ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ତନ୍ମଧ୍ୟରୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ଆନ୍ଧ୍ରର ମଛଲିପଟନ ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ବୋଲି କୁହାଯଉଛି ।ଗବେଷଣାରୁ ଜଣାପଡିଛି ମୈାସୁମୀ ପରବର୍ତ୍ତୀ ସମୟରେ ଅଧିକ ବାତ୍ୟା ଆସୁଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯଦିଓ ରାଜ୍ୟ ସରକାର ଅନେକାଂଶରେ ସକ୍ଷମ ହୋଇଛନ୍ତି ତଥାପି ଏହାର ପ୍ରଭାବ ଅଧିକ ଘାତକ ହେଉଛି । ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବିପଦକୁ ଡାକି ଆଣୁଛି । ଏନେଇ ସାମୁଦ୍ରିକ ବିଜ୍ଞାନୀମାନେ ଅଙ୍କକଷା ଆରମ୍ଭ କରିଛନ୍ତି । ଏହି ଜଳ ବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ ରହୁଛି । ଫଳରେ ପ୍ରତିବର୍ଷ ହାରାହାରି ଗୋଟିଏ ବଡ ବାତ୍ୟା ରାଜ୍ୟର ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆଘାତ ଦେଉଛି ।

ସୂଚନାଯୋଗ୍ୟ ଯେ,ଗତ ୩ବର୍ଷ ମଧ୍ୟରେ ପାଖା ପାଖି ଦେଢଲକ୍ଷ ଘର ମାଟିରେ ମିଶିଛି । ୭ଲକ୍ଷ ହେକ୍ଟର ଜମିର ଫସଲ ଉଜୁଡିଛି । ୪ହଜାରରୁ ଉଦ୍ଧ୍ୱର୍ ଗୋସମ୍ପଦ ନଷ୍ଟ ହୋଇଛନ୍ତି । ଏଥିରୁ ଜଣା ପଡୁଛି ଯେ, ଓଡିଶା ଏବେ ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ରାଜ୍ୟ ହୋଇପଡିଛି । ଯଦିଓ ୧୮୯୧ରୁ ୨୦୨୧ମସିହା ମଧ୍ୟରେ ବାତ୍ୟା ସଂଖ୍ୟା ଧୀରେଧୀରେ କମିବାରେ ଲାଗଛି ତଥାପି ଆସୁଥିବା ବାତ୍ୟାର ପ୍ରକୋପ ପୂର୍ବ ତୁଳନାରେ ଅଧିକ ରହୁଛି । ଚଳିତ ବର୍ଷ ଲଘୁଚାପ ବର୍ଷା ଓଡିଶା ପାଇଁ ବାତ୍ୟା ଓ ବନ୍ୟାଡର ସୃଷ୍ଟି କରିଛି । ସେପ୍ଟେମ୍ବର ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଆଉ ଏକ ଘୁଣ୍ଣିବଳୟ ସୃଷ୍ଟି ହୋଇଥିଲା ପରେ ବାତ୍ୟା ଗୁଲାବ ବିପଦ ଟଳିଯାଇଥିଲା । ଚଳିତ ବର୍ଷ ବଙ୍ଗୋପ ସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଗତ ସେପ୍ଟେମ୍ବରରେ ୪ଟି ଲଘୁଚାପ ସହ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କରିଛି ।

ଏବେ ଲଘୁଚାପ ଆସିଲେ ଲୋକଙ୍କ ମନରେ ବାତ୍ୟା ଭୟ ଲୋକଙ୍କୁ ଘାରୁଛି । ସତେ ଯେମିତି ଲଘୁଚାପ ଦେଖାଉଛି ବାତ୍ୟା ଡର । ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ଦିନରେ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟ ହେଛି । ସେହିପରି ୨୦୧୫ରେ ଭୟଙ୍କର ଭୂକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସୁକିମ୍, ଭୁଟାନ୍, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ପାଞ୍ଚବର୍ଷ ପୁରିବାକୁ ଯାଉଛି । ସେହି ପ୍ରଳୟର କଥା ମନେପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ ।

କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୃତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରକାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନଥିଲା, ହେଲେ ଏବର ବିଜ୍ଞାନୀ ପୁଅମାନେ ଭଲଭାବେ ଜାଣିଛନ୍ତି ଯେ ପ୍ରକୃତିମାତା ସୁକୁମାର ଭାବେ ଗଢା । ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ଚାରିଟା ଗଛ ଥିବ କି ନଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ ହେବନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ୱଂସ ।

୧୯୯୯ ମସିହା ମହାବାତ୍ୟା ଠାରୁ ଆରମ୍ଭ କରି ଶକ୍ତିଶାଳୀ ଫାଇଲିନ୍ ଓ ହୁଡୁହୁଡୁ ଭଳି ଶକ୍ତିଶାଳୀ ବାତ୍ୟା ଆମ ରାଜ୍ୟରେ ଘଟିଯାଇଛି । କାରଣ ସାମୁଦ୍ରିକ ତାପମାତ୍ରା ଅନ୍ୟ ଅଞ୍ଚଳ ତୁଳନାରେ ଏଠାରେ ଅଧିକ ରହିଥାଏ । ଏହି ସମୟରେ ଉତ୍ତର ପଶ୍ଚିମ ମହାସାଗରରୁ ସୃଷ୍ଟି ବାତ୍ୟା ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଶକ୍ତିଶାଳୀ ହୋଇ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳି ହୋଇ ବଡ ବାତ୍ୟ ସୃଷ୍ଟି କରିଥାଏ । ଅନ୍ୟ ପକ୍ଷରେ ପାରାଦ୍ୱୀପ ଉପକୂଳ ଅଧିକ ଗଭୀର ହୋଇଥିବାରୁ ଏହି ସ୍ଥାନକୁ ମୁହାଁଉଥିବା ବାତ୍ୟା ଅଧିକ କ୍ଷତି କରିଥାଏ । ଏସବୁର ମୁକାବିଲା ପାଇଁ ବଳିଷ୍ଠ ପଦକ୍ଷପ ନେବାର ସମୟ ଆସିଛି ।

Comments are closed.